ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ଶତାଧିକ ମହିଳା

ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଘରର ମହିଳା ଯଦି ସୁସ୍ଥ ରହିବେ ତେବେ ସେ ପରିବାର ସେତେ ସଶକ୍ତ ହେବ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ବର୍ତ୍ତମାନ ସମଗ୍ର ଦେଶରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଚାଲିଛି। ସ୍ବାସ୍ଥ୍ୟ ବିଭାଗ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ସହ ସମନୟ ରକ୍ଷାକରି ସ୍ବାସ୍ଥ୍ୟ ମେଳା ଆୟୋଜନ କରୁଛନ୍ତି। ଏହି ସମୟରେ ମହିଳାମାନଙ୍କ ସାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ମାଗଣାରେ ବଣ୍ଟନ କରାଯାଉଛି। ଆବଶ୍ୟକ ପଡ଼ିଲେ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଉଛି। ଏଥିସହ ଯକ୍ଷ୍ମା ସମେତ ବିଭିନ୍ନ ରୋଗ ସମ୍ପର୍କରେ ସଚେତନ କରାଯାଉଛି। ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ ମଧ୍ୟ କରାଯାଉଛି। ଏହିଭଳି ଗଞ୍ଜାମ ଜିଲା ଗାଲେରି ମେଡିକାଲ ଏବଂ ତାରସିଂ ଥାନା ପକ୍ଷରୁ ମିଳିତ ଭାବେ ରବିବାର ଗାଲେରି ଫାଣ୍ଡି ପରିସରରେ ମେଗା ସାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା। ମେଳାରେ ସଂପୃକ୍ତ ଅଞ୍ଚଳର ଶତାଧିକ ମହିଳାଙ୍କ ସାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଭଞ୍ଜନଗର ଏଏସ୍‌ପି ରଞ୍ଜନ କୁମାର ଦେ, ଭଞ୍ଜନଗର ଏସ୍‌ଡିପିଓ ଡ ଦୀପକ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ଏଥିସହ ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ। ଡ. ଅନିଲ କୁମାର ସ୍ବାଇଁ, ଡ ନାରାୟଣ କାଣ୍ଡି ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାରସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ଏସ୍‌ଆଇ ସମୀର ବେହେରା, ଏଏସ୍‌ଆଇ ବି ମଧୁ ବାବୁ, ଭଞ୍ଜନଗର ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ତାରସିଂ ମେଡିକାଲ କର୍ମଚାରୀ ନୀଳମାଧବ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।