ମାର୍ଶାଘାଇ, ୯।୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ୫୩ ନଂ ଜାତୀୟ ରାଜପଥର କେନ୍ଦ୍ରାପଡା ଜିଲା ସିଳିପୁର ଛକରେ ଅଣ୍ଡର ପାସ ପୋଲ ଦାବିରେ ଗତ ୪ ଦିନ ହେବ ସ୍ଥାନୀୟ ଲୋକ ଗଣଧାରଣା ଦେଇଛନ୍ତି। ଏପରିକି ଗତ ଗୁରୁବାର ଏହି ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି। ଶୁକ୍ରବାର ଏହି ଧାରଣା ଉଗ୍ର ରୂପ ନେଇଛି। ଧାରଣାସ୍ଥଳରୁ ୬ ଜଣଙ୍କୁ ଜିଲା ପୋଲିସ ଉଠାଇ ନେବା ପରେ ଆଖପାଖର ପ୍ରାୟ ୧୫ଟି ଗ୍ରାମର ମହିଳା ଓ ପୁରୁଷ ସ୍ଥାନୀୟ ମାର୍ଶାଘାଇ ଥାନାକୁ ସେମାନଙ୍କୁ ତୁରନ୍ତ ଛାଡିବା ଦାବିରେ ଘେରାଉ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏହି ଘଟଣାରେ ଶାନ୍ତିଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିଏନଏସ ଧାରା ୧୬୩ ଲାଗୁ କରିଛନ୍ତି। ଏ ସମ୍ପର୍କରେ ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ କହିଛନ୍ତିୁ ଯେ ଜାତୀୟ ରାଜପଥ ପ୍ରାଧିକାରଣ ଓ ଆନ୍ଦୋଳନକାରୀଙ୍କର ଏନେଇ ଆଲୋଚନା ହୋଇଥିଲା। ଏହାସତ୍ତ୍ୱେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରୁଥିବାରୁ ଜିଲା ପୋଲିସ ଯାନବାହନ ଯାତାୟାତ ବ୍ୟବସ୍ଥାକୁ ବ୍ୟବସ୍ଥିତ ପାଇଁ କେତେକ ଆନ୍ଦୋଳନକାରୀଙ୍କୁ ଥାନାକୁ ଅଣାଯାଇଛି। ଫଳରେ ମହିଳା ଓ ପୁରୁଷମାନେ ଥାନା ଘେରାଉ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଧାରା ୧୬୩ ଲଗାଯାଇଛି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି।