ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩ ନଂ ଜାତୀୟ ରାଜପଥର ବଡ଼ଝରା ଗାଁ ନିକଟରେ ଏକ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ମାଟି ଚାଲାଣ ହୋଇଥିବା ଜଣାପଡିଛି। ରେଙ୍ଗାଳି ବାମ ପାର୍ଶ୍ୱ କେନାଲରୁ ବେଆଇନ ଭାବେ ହାଇୱା ଗାଡ଼ିରେ ଶହଶହ ଟ୍ରିପ ମାଟିକୁ ଦିବାଲୋକରେ ଚୋରି କରି ନେଇଛନ୍ତି ।
ଢେଙ୍କାନାଳ ମାଇନିଙ୍ଗ ଅଫିସ ଚିଠି ସଂଖ୍ୟା -୨୫୩୩ ଅନୁଯାୟୀ ବଡଝରା ଗାଁର ଜୈନିକ ବ୍ୟକ୍ତିଙ୍କ ଖାତା ନଂ -୨୭୯ ଅନୁଯାୟୀ ଦୁଇଟି ପ୍ଲଟ ଯଥାକ୍ରମେ ୫୬୯୧ ଏବଂ ୫୬୯୨ରୁ ୩ଶହ କ୍ୟୁବିକ ମିଟର ମାଟି ଉଠେଇବାର ଏକ ଅନୁମତି ପତ୍ର ରହିଛି। ଯେଉଁ ଚିଠିକୁ ଧରି ସମ୍ପୃକ୍ତ ବ୍ୟକ୍ତି ରେଙ୍ଗାଳି ବାମ ପାର୍ଶ କେନାଲ ହୁଡ଼ାରୁ ଶହଶହ ଟ୍ରିପ ମାଟି ନିଦ୍ୱନ୍ଦ୍ୱରେ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏପରିକି ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ନିୟୋଜିତ ଠିକାସଂସ୍ଥାର ମ୍ୟାନେଜର ଆମ କ୍ୟାମେରାକୁ ଦେଖି ମେଶିନ ଏବଂ ହାଇୱା ଟ୍ରକ ଗୁଡିକୁ ନେଇ ଫେରାର ମାରିଥିଲେ। ଏବଂ ପୁନଶ୍ଚ ରାତିରେ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ କାମାକ୍ଷାନଗର ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ତୁରନ୍ତ ଏହାର ଏକ ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲାପାଳ ପ୍ରକାଶ କରିଛନ୍ତି।