ସାର ପାଇଁ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ: ଆଇଆଇସି ପହଞ୍ଚି ପ୍ରତିଶ୍ରୁତି ଦେଇ କହିଲେ…

ଦିଗପହଣ୍ଡି/ପାଟପୁର,୧।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ୟୁରିଆ ସାର ଯୋଗାଣ କରାଯାଉନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବୁଧବାର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି – ଆସିକା ୩୨୬ ନଂ. ଜାତୀୟ ରାଜପଥର ସାହାସପୁର ହାଟପଦା ଠାରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି।  ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ଖୁବଶୀଘ୍ର ସାର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।  ଏନେଇ ସମବାୟ ସମ୍ପାଦକ ନାରାୟଣ ରାଉଳଙ୍କୁ ପଚାରିବାରୁ ପୂର୍ବରୁ ୪୫୦ ବସ୍ତା ୟୁରିଆ ସାର ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ଦର ୨୭୦ ଟଙ୍କା ଲେଖାଏଁ ବିକ୍ରି କରାଯାଇଥିଲା। କିଛି ବ୍ୟକ୍ତି ୨୭୦ ଟଙ୍କାରେ ସାର କିଣି ନେଇ ତାହାକୁ ବସ୍ତା ପ୍ରତି ୬୦୦ ଟଙ୍କାରେ କଳାବଜାର କରି ବିକ୍ରି କରୁଛନ୍ତି। ପରେ ସମବାୟ ସମିତିକୁ ୬୭୫ ବସ୍ତା ସାର ଆସିବା ପରେ ଗତ ୧୫ ତାରିଖରେ ଚାଷୀଙ୍କୁ ବିକ୍ରି କରାଯିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ୫ ଶହ ସାର ବସ୍ତା ଚାଷୀଙ୍କୁ ବିକ୍ରି କରାଯିବା ପରେ ସମବାୟ କାର୍ଯ୍ୟାଳୟ ସମ୍ମୁଖରେ ବହୁସଂଖ୍ୟକ ଚାଷୀ ସାର ପାଇଁ ଧସ୍ତାଧସ୍ତିି ହେବାରୁ ଉପସ୍ଥିତ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ସାର ବିକ୍ରି ବନ୍ଦ କରାଯାଇଥିଲା। ବହୁ ସଂଖ୍ୟକ ଚାଷୀ ସାର ନ ପାଇବା କାରଣରୁ ହାଟପଦା ଛକରେ ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଥିଲେ। ପାଟପୁର ଥାନା ପୋଲିସ ଟିମ ଓ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ବଳକା ପ୍ରାୟ ୧୫୦ ବସ୍ତା ସାର ବୁଧବାର ସକାଳେ ବିକ୍ରି ପାଇଁ ବ୍ୟବସ୍ଥା କରିବା ବେଳେ ଖବରପାଇ ବହୁ ସଂଖ୍ୟକ ଚାଷୀ ସମବାୟ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ହୋହଲ୍ଲା କରିଥିଲେ। ଫଳରେ ସାର ବିକ୍ରି ବନ୍ଦ କରିବାକୁ ପଡ଼ିଥିଲା। ପ୍ରତିବାଦରେ ସେମାନେ ରାସ୍ତା ଅବରୋଧ କରିଥିଲେ। ଅପରପକ୍ଷରେ ସମବାୟ ସମ୍ପାଦକ ନିଜ ସମ୍ପର୍କୀୟଙ୍କୁ ଲୁଚା ଚୋରାରେ ସାର ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ଏପରିକି ସେ କିଛି ବ୍ୟବସାୟୀଙ୍କୁ ଅତ୍ୟଧିକ ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ପର୍କରେ ସମବାୟ ସମ୍ପାଦକଙ୍କୁ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି। ସାର ବିକ୍ରି ବେଳେ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ସେ ଏବଂ ସମବାୟ ସମିତି ସଭାପତି କୈଳାସ ପାତ୍ର ପାଟପୁର ଥାନାକୁ ଦରଖାସ୍ତ ଦେବା ପାଇଁ ଯିବେ ବୋଲି କହିଛନ୍ତି।