Humanoid Robots Race: ବିଶ୍ୱର ପ୍ରଥମ: ମାରାଥନ୍‌ରେ ୨୧ କି.ମି. ଦୌଡ଼ିଲେ ୨୧ ରୋବୋ

ବେଜିଂ, ୨୦।୪ (ପି.ଟି.): ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା) କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକଠାରୁ ବହୁ ଆଗରେ ଥିବା ନେଇ ଚାଇନା ପୁଣିଥରେ ପ୍ରମାଣିତ କରିଛି। ଶନିବାର ବେଜିଂରେ ବିଶ୍ୱର ପ୍ରଥମ ରୋବୋ ହାଫ୍‌ ମାରାଥନ୍‌ର ଆୟୋଜନ କରାଯାଇଛି। ବେଜିଂସ୍ଥିତ ଅର୍ଥନୈତିକ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଆୟୋଜିତ ଏହି ନିଆରା ମାରାଥନ୍‌ ଦୌଡ଼ରେ ୨୧ଟି ହ୍ୟୁମାନଏଡ୍‌ ରୋବୋ ମଣିଷଙ୍କ ସହ ୨୧ କି.ମି. ପର୍ଯ୍ୟନ୍ତ ଦୌଡ଼ିଥିଲେ। ଏହି ମାରାଥନ୍‌ରେ ଦୌଡ଼ିବା ପାଇଁ ମଣିଷ ଓ ରୋବୋଙ୍କ ପାଇଁ ଭିନ୍ନ ଭିନ୍ନ ଟ୍ରାକ୍‌ ହୋଇଥିଲା। ବିଭିନ୍ନ ଆକୃତି ଏବଂ ଆକାରର ରୋବୋ ଦୌଡ଼ୁଥିବାବେଳେ ସେମାନଙ୍କୁ ଦେଖିବା ପାଇଁ ଟ୍ରାକ୍‌ର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଜନସମାଗମ ଘଟିଥିଲା। ଦର୍ଶକମାନେ ରୋବୋ ଏବଂ ସେମାନଙ୍କ ଅପରେଟରଙ୍କୁ ଉତ୍ସାହିତ କରିଥିଲେ।


ଏହି ଐତିହାସିକ ଦୌଡ଼ ପ୍ରତିଯୋଗିତାରେ ଚାଇନାର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଏବଂ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକର ୨୦ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ମାରାଥନ୍‌ ପାଇଁ ଗତ କିଛି ସପ୍ତାହ ଧରି ଏହି ଟିମ୍‌ଗୁଡ଼ିକର ସଦସ୍ୟମାନେ ସେମାନଙ୍କ ରୋବୋକୁ ପ୍ରସ୍ତୁତ କରିବା ସହ ସେଗୁଡ଼ିକର ପରୀକ୍ଷଣ କରିଥିଲେ। ରେସ୍‌ ଆରମ୍ଭର ଠିକ୍‌ ପୂର୍ବରୁ ସମସ୍ତ ରୋବୋ ଏକ ଜିଗ୍‌ଜାଗ୍‌ ଫର୍ମେଶନରେ ୧ ମିଟରର ବ୍ୟବଧାନରେ ଧାଡ଼ିରେ ଛିଡ଼ା ହୋଇଥିଲେ। ଏହାପରେ ପ୍ରତ୍ୟେକ ରୋବୋ ଗୋଟିଏ ପରେ ଗୋଟିଏ କରି ଦୌଡ଼ିବା ଆରମ୍ଭ କରିଥିଲେ। ଦୌଡ଼ିବା ସମୟରେ ଏହି ରୋବୋଗୁଡ଼ିକୁ ସେମାନଙ୍କ ଇଞ୍ଜିନିୟର ଦୂରରୁ ଅପରେଟ କରୁଥିଲେ। ତେବେ ଏହି ମାରାଥନ ବେଳେ କେତେକ ରୋବୋ ବୈଷୟିକ ତ୍ରୁଟିର ସାମ୍‌ନା କରିଥିବାବେଳେ ଆଉ କେତେକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଚାଇନାର ସରକାରୀ ପରିଚାଳିତ ନ୍ୟୁଜ୍‌ ଏଜେନ୍ସି ଜିନ୍‌ହୁଆ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମାରାଥନ୍‌ ରେସ୍‌କୁ ବେଜିଂ ଇନୋଭେଶନ୍‌ ସେଣ୍ଟର ଅଫ୍‌ ହ୍ୟୁମାନ ରୋବୋଟିକ୍ସ ଦ୍ୱାରା ପ୍ରସ୍ତୁତ ଟିଆନଗଙ୍ଗ ଅଲଟ୍ରା ନାମକ ରୋବୋ ୨ ଘଣ୍ଟା ୪୦ ମିନିଟରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

Share
Tags: Robots Race