ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା ପୁନର୍ବାର ବ୍ୟବହାର ହେଉଥିବା (ରିସାଇକ୍ଲଡ୍) ଏଲିମେଣ୍ଟ(ମୌଳିକ ପଦାର୍ଥ) ଭର୍ତ୍ତି ହୋଇଛି। ଦୁନିଆର ସବୁ ଜିନିଷ ଏଇମିତି ହେଲେ ବି ମଣିଷ କଥା ନିଆରା, କାରଣ ମଣିଷ ହିଁ ମଇଳାକୁ କଣ୍ଟ୍ରୋଲ କରିପାରିବ।
ନଖଗୁଡ଼ିକୁ ଚାହିଁ କେଡ଼େ ସୁନ୍ଦର ବୋଲି କହୁଥିଲା ବେଳେ ଭାବିଛ କି ଏହାର ଅଧାଅଧି ଅଙ୍ଗାର, ଯାହା ରୋଷେଇଘର ଧୂଆଁରୁ ବା ଗାଡ଼ିର ଧୂଆଁନଳୀରୁ ବାହାରୁଥିବା ପ୍ରତି ଆଠ ଅଙ୍ଗାର ଅଣୁରୁ ଗୋଟିଏ ଲେଖାଏ ଆସିଛି! ତା’ ସାଙ୍ଗରେ ଅଛି ଦୁଇଟି ଲେଖାଏ ଅମ୍ଳଜାନ ଅଣୁ! ଜୀବାଶ୍ମ (ଫସିଲ୍)ରୁ ବାହାରୁଥିବା ଅଙ୍ଗାରକାମ୍ଳ ଅଣୁରୁ ଯାହା କିଛି ସମୁଦ୍ର ବା ବାୟୁମଣ୍ଡଳ ଶୋଷିନେଇନାହିଁ ତାହା ଗଛଲତାମାନେ ଶୋଷିନିଅନ୍ତି, ଶର୍କରା ଓ ମଣ୍ଡ ତିଆରିରେ ଲଗାଇଦିଅନ୍ତି, ଯହିଁରୁ ମଣିଷ ରୁଟି, ପାଉରୁଟି, ମିଠେଇ ଆଦି କରିଥାଏ ବା ପରିବାପତ୍ର ଭାବେ ବ୍ୟଞ୍ଜନ କରିଥାଏ।ବହୁତ ଅଙ୍ଗାର ଅଣୁରୁ କିଛି କିଛି ପ୍ରାଣୀଙ୍କର ତନ୍ତୁ ହୁଏ ତ ଆଉ କିଛି ମାଂସ ଓ ଦୁଧ ଜାତୀୟ ଉପାଦାନ ତିଆରି କରେ।ଆଗ୍ନେୟଗିରି ଉଦ୍ଗିରଣ, ବନାଗ୍ନିର ପ୍ରଶସ୍ତି ଓ ପ୍ରାଣୀମାନଙ୍କ ଶ୍ୱାସକ୍ରିୟା ଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଭର୍ତ୍ତି ହୁଏ।ଆଜିକାଲି ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ପରିମାଣର ଏକ ଚତୁର୍ଥାଂଶ କେବଳ ଖଣିଜ ତୈଳ ଜାଳେଣିରୁ ଆସୁଛି। ସମୁଦ୍ରଗର୍ଭରୁ ଉତ୍ତୋଳନ ବେଳେ ବି ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଆସିଥାଏ।କିଛି କିଛି ସମୁଦ୍ର ଜଳରେ ଦ୍ରବୀଭୂତ ହୋଇଯାଏ ତ ତାହା ପ୍ରାକୃତିକ ଉପାୟରେ ଦ୍ରବୀଭୂତ ହୋଇଥିବା ଅଙ୍ଗାରକାମ୍ଲକୁ ତଡ଼ିଦିଏ।ତୁମ ଦେହର ସବୁ ଅଙ୍ଗାର ଜୈବିକ ଖାଦ୍ୟରୁ ଆସିଥାଏ, ଭୋଜ୍ୟ ପ୍ରାଣୀ ଯେଉଁ ଉଦ୍ଭିଜ୍ଜ ପଦାର୍ଥ ଉପରେ ନିର୍ଭର କରନ୍ତି ସେସବୁ ବାୟୁମଣ୍ଡଳରୁ ଅଙ୍ଗାର ନେଇ ସୂର୍ଯ୍ୟରଶ୍ମିରେ ରାନ୍ଧି ତିଆରି କରିଥାନ୍ତି।ସେଠୁ ଗଛଲତାମାନେ ଅମ୍ଳଜାନକୁ ଛାଡ଼ିଦେଇ କେବଳ ଅଙ୍ଗାରକୁ ଶୋଷିନିଅନ୍ତି, ତହିଁରୁ ଶର୍କରା, ମଣ୍ଡ ଆଦି ତିଆରି କରନ୍ତି, ଯହିଁରୁ ଆମେ ରୁଟି, ବ୍ରେଡ୍, ଭାତ, ତରକାରି ଆଉ ମିଠା ପିଠା ଆଦି ତିଆରି କରୁ।ଆମେ ଆମିଷ ବୋଲି ଖାଉଥିବା ପ୍ରାଣୀମାନଙ୍କ (ଆମର ବି) ମାଂସ ଚମ ଆଦି ଅଙ୍ଗାରରେ ତିଆରି।ନିରାମିଶରେ ଗଣା କ୍ଷୀର ବି।ଏବେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ପ୍ରତି ଲକ୍ଷେ ଭାଗରେ ୪୨ରୁ ୪୩ ଭାଗ (ପିପିଏମ୍ ୪୨୦ରୁ ୪୩୦)ା ବାୟୁମଣ୍ଡଳର ଅଙ୍ଗାରକାମ୍ଳ ମୁଖ୍ୟତଃ ଆଗ୍ନେୟଗିରି ଉଦ୍ଗିରଣରୁ, ବନାଗ୍ନିରୁ ଓ ପ୍ରାଣିଜଗତର ଶ୍ୱାସକ୍ରିୟାରୁ ଆସେ।ଆମେ ଖାଉଥିବା ଜୈବିକ ପଦାର୍ଥରୁ ଆମ ଦେହର ସବୁ ଅଙ୍ଗାର ତିଆରି।ସବୁର ମୂଳ ବାୟୁ ନିର୍ଗମନ ବା ଏମିସନ୍ ା
ତୁମ ମୁକ୍ତା ଭଳି ଚିକ୍ ଚିକ୍ ମାରୁଥିବା ଦାନ୍ତ ତ ତେଜଷ୍କ୍ରିୟ ଫୋପଡ଼ା ଜିନିଷରୁ ତିଆରି ହୋଇଛି।୧୯୫୦ରୁ ୧୯୭୦ ଭିତରେ ବାୟୁମଣ୍ଡଳରେ ତାପଜ ପରମାଣବିକ ଅସ୍ତ୍ରର ପରୀକ୍ଷା ଏତେ ବେଶି ହେଲା ଯେ ବହୁ ପରିମାଣରେ ଅଙ୍ଗାର-୧୪ ବାୟୁମଣ୍ଡଳରେ ପଶିଲା, ପ୍ରାୟ ସବୁ ପ୍ରକାର ପରିବେଶକୁ ମାଡିଗଲା, ମଣିଷର ପରିବେଶକୁ ବି।ଏ ଗୁଡ଼ିକ ଅସ୍ଥିର ତେଜଷ୍କ୍ରିୟ ଅଙ୍ଗାର (ରେଡିଓ କାର୍ବନ) ଅଣୁ: ଆମ କୋଷଗୁଡ଼ିକରେ ପ୍ରତି ସେକେଣ୍ଡରେ ହଜାର ହଜାର ସଂଖ୍ୟାରେ ରେଡିଓ କାର୍ବନ ପରମାଣୁ ପିଟିହେଉଛି।ଉଦ୍ଭିଦ ଓ ଅଣୁଜୀବମାନେ ଯେଉଁ ଆବର୍ଜନା ଛାଡ଼ନ୍ତି, ତାହା ବହୁ ପରିମାଣରେ ପ୍ରତିକ୍ରିୟାଶୀଳ (ରିଆକ୍ଟିଭ୍) ଅମ୍ଳଜାନ।ଗଛଲତା, ଗୁଳ୍ମ, ଶିଉଳି(ଆଲ୍ଜି) ଆଉ ନୀଳ-ସବୁଜ ବାକ୍ଟେରିଆ ଭାଶ୍ଲେଷଣ (ଫଟୋସିନ୍ଥେସିସ୍) ପ୍ରକ୍ରିୟାରେ ଜଳକଣିକାରୁ ଅମ୍ଳଜାନ କାଢ଼ିଦିଅନ୍ତି; ରହିଯାଉଥିବା ଗ୍ୟାସ୍ରୁ ଅଧିକ ଅଂଶ ସେମାନେ ନିଜ କାମରେ ଲଗାନ୍ତି।ସୁଖର କଥା ଲିକ୍ କରିଥିବା (ଗଳି ପଡ଼ିଥିବା) ଅମ୍ଳଜାନ ମଣିଷକୁ ବଞ୍ଚାଇ ରଖିଛି।ଆମ ଶ୍ୱାସରେ ଯାଉଥିବା ପବନର ମାତ୍ର ୨୦% ଅମ୍ଳଜାନ।ଆମ ଦେହର କୋଷଗୁଡ଼ିକ ଅମ୍ଳଜାନ ବ୍ୟବହାରକରି ଖାଦ୍ୟକଣିକାରେ ଥିବା ରାସାୟନିକ ବନ୍ଧନକୁ ଛିନ୍ନକରି ଅମ୍ଳଜାନ ଇଲେକ୍ଟ୍ରନ୍ ବାହାରକରନ୍ତି ଯାହା ଉଦ୍ଜାନ ଆୟନ୍ ସହ ମିଶି ଜଳକଣିକା ତିଆରିକରେ – ଏ ଜଳ ମଣିଷ ଦେହର ବର୍ଜ୍ୟବସ୍ତୁ: ଦେହର ଯେତେ ତରଳ ପଦାର୍ଥ ଅଛି ତାହାର ୧୦%।ସାଧାରଣ ମଣିଷ ଦେହରେ ୩.୬ କିଲୋରୁ ୪ କିଲୋ ଜଳ ଥାଏ।ଶ୍ୱାସକ୍ରିୟା ଓ ପାଚନକ୍ରିୟାରୁ ମେଟାବୋଲିକ୍ ଜଳ ଆସିଥାଏ।ଆଖିଲୁହର ୧୦% ଟୋପା ବି ମେଟାବୋଲିକ୍ ଜଳ।
ଆମ କେଶ କେଡ଼େ କୁଞ୍ଚୁକୁଞ୍ଚିଆ! ତା’ ଯବକ୍ଷାରଜାନର କାମ। ବାୟୁରେ ଯବକ୍ଷାରଜାନ ତ ନିଷ୍କ୍ରିୟ, ତେବେ କେଶର କେରାଟିନ୍ କିପରି ତିଆରି କଲା, ତାକୁ ବଢ଼େଇଲା? ଶିମ୍ବ, ମଟର ତଥା ଡାଲିଜାତୀୟ ଫସଲରେ ବୁଦାମୂଳ ଗଣ୍ଠିରେ ଥିବା ଏକ ପ୍ରକାର ବାକ୍ଟେରିଆ ଯବକ୍ଷାରଜାନକୁ ସକ୍ରିୟକରେ, ସେମାନେ ବାୟୁର ଯବକ୍ଷାରଜାନକୁ ହଜମକରି ମଳ ଭାବେ ଆମୋନିଆ (ଆମ ଖତ) ଛାଡ଼ନ୍ତି।ବିଜୁଳି ମାରିଲେ ବା କାର୍ ଏଗ୍ଝଷ୍ଟ ନଳୀରୁ ବାୟୁ ବାହାରିଲେ ତାତିରେ ଯବକ୍ଷାରଜାନ ଅମ୍ଳ (ନାଇଟ୍ରିକ୍ ଅକ୍ସାଇଡ୍) ତିଆରି ହୁଏ, ବୃଷ୍ଟିଜଳରେ ମିଳେଇଯାଇ ଭୂଇଁରେ ସାର ରୂପରେ ପଡ଼େ।ସାର କାରଖାନାରେ ଯବକ୍ଷାରଜାନ ବାଷ୍ପରୁ ୟୁରିଆ, ଆମୋନିଅମ୍ ନାଇଟ୍ରେଟ୍ ଆଦି ତିଆରିକଲା ପରେ ସକ୍ରିୟ ଯବକ୍ଷାରଜାନ ମିଳିଲା ା
ଆମ ରକ୍ତରେ ଯେଉଁ ଲୌହ ଅଣୁ ଅଛି ତାହା ଏକ ଧ୍ୱଂସପ୍ରାପ୍ତ ତାରକାରୁ ଆସିଛି।ଭୟଙ୍କର ବିସ୍ଫୋରଣ ସହ ଜଳିଯାଉଥିବା ତାରକା ତା’ପରେ କ୍ଷୁଦ୍ର କ୍ଷୁଦ୍ର ଏଲିମେଣ୍ଟକୁ ମିଶାଇ ବଡ଼ ବଡ଼ ଏଲିମେଣ୍ଟ ତିଆରିକରେ।ତାରକାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ବୃହତ୍ତର ଏଲିମେଣ୍ଟ ତିଆରି ହୁଏ, ଯଥା ସିଲିକନ୍, ସଲ୍ଫର ଆଉ କାଲ୍ସିଅମ୍।ଶେଷରେ ଲୌହ।ଲୁହା ଅଣୁ ତିଆରିର ମିଶ୍ରଣ-ପ୍ରକ୍ରିୟାରେ ଯେତିକି ଶକ୍ତି ବ୍ୟୟ ହୁଏ ଲୌହ ଅଣୁ ସେତିକି ଶକ୍ତି ହିଁ ତିଆରି କରେ – ଅର୍ଥାତ୍ ତାରକାଟି ଦୁର୍ବଳ ହୋଇଯାଏ।ତାରକାଟି ବହୁ ବଡ଼ ହୋଇଥିଲେ ନିଜ କେନ୍ଦ୍ର ଉପରେ ଲଦିହୋଇଯାଏ, ଭୁଶୁଡ଼ି ପଡ଼େ – ଏକ ସୁପରନୋଭା ବିସ୍ଫୋରଣ ହୁଏ, ସୁପରସୋନିକ୍ ଗତିରେ ଲୌହ ଅଣୁଗୁଡିକ ବିଛୁଡ଼ିହୋଇଯାଏ, ଯାହା ନୂଆ ସୌରମଣ୍ଡଳ (ସୋଲାର ସିଷ୍ଟମ) ତିଆରିକରେ।ତୁମ କଡ଼େଇରେ, ତୁମ ତାଉଆରେ, ତୁମ ଚାବିକାଠିରେ ଆଉ ତୁମ ରକ୍ତରେ ଯେଉଁ ଲୁହା ଅଛି ସେସବୁ ଏହି ମହାକାଶୀୟ ସ୍ଫୋଟକର ଟିକି ଟିକି ଟୁକୁରା।ସେହି ସ୍ଫୋଟକ ବି ଅଙ୍ଗାର, ଯବକ୍ଷାରଜାନ, ଅମ୍ଳଜାନ ଆଦି ଜୀବନର ବିଭିନ୍ନ ଉପାଦାନ ତିଆରିକରେ, ଯାହା ସୂର୍ଯ୍ୟ, ପୃଥିବୀ ଓ ପରିଶେଷରେ ତୁମକୁ ତିଆରିକରେ।
ଏବେ ତୁମର ସୌଖୀନ ଜୀବନ ତୁମକୁ ଧ୍ୱଂସକରିପାରେ।କାମ ଗୋଟିଏ ଦିଗରେ ଭଲ ଫଳ ଦେଖାଉଥିଲେ ବି ଅନ୍ୟ କୌଣସି ଅଜଣା ଦିଗରେ ଖରାପ ହୋଇପାରେ- ଏହାକୁ ଅନିଚ୍ଛାକୃତ ପରିଣାମ କୁହାଯାଏ।ରଙ୍ଗ, ନମନୀୟତା, ଟାଣପଣିଆ ଆଉ ସୂର୍ଯ୍ୟାଲୋକରେ ନଷ୍ଟ ନ ହେବାର ଗୁଣ ମଣିଷକୁ ପ୍ଲାଷ୍ଟିକ୍ପ୍ରିୟ କରିଦେଇଛି।ପ୍ଲାଷ୍ଟିକ୍ ପ୍ରାୟ ୧୬୦୦୦ କେମିକାଲରେ ତିଆରି – ତହିଁରୁ ୪୨୦୦ କେମିକାଲ କର୍କଟ, ହୃଦ୍ରୋଗ, ହର୍ମୋନ୍ କ୍ଷରଣରେ ବ୍ୟତିକ୍ରମ ଆଣେ।କାଚ ଆଉ ଆଲୁମିନିୟମ ଯେପରି ନୂଆ ନୂଆ ରୂପରେ ବ୍ୟବହାର ହୋଇପାରେ, ପ୍ଲାଷ୍ଟିକ୍ ସେପରି ହୋଇପାରେନାହିଁ, ପ୍ଲାଷ୍ଟିକ୍ ହୋଇରହେ।ପ୍ଲାଷ୍ଟିକ୍ର ପରିମାଣ ବଢ଼ିଚାଲେ – ଦୁଇ ତିନି ଥର ବ୍ୟବହାର ପରେ କନା ପରି ହୋଇଯାଏ, ଶେଷରେ ପୋଡ଼ାଯାଏ ବା ଖାଲରେ ପୋତାଯାଏ, ହେଲେ ବି ପ୍ଲାଷ୍ଟିକ୍ ନଷ୍ଟ ହୁଏ ନାହିଁ, ବରଂ ପରିବେଶରେ ମିଶେ।ପ୍ଲାଷ୍ଟିକ୍ ଜିନିଷରୁ ଟିକି ଟିକି ଝଡୁଥିବା ପ୍ଲାଷ୍ଟିକ୍, ମାଇକ୍ରୋପ୍ଳାଷ୍ଟିକ୍ ଅଦୃଶ୍ୟ କଣିକା ରୂପେ ମଣିଷର ସବୁ ଅଙ୍ଗରେ ପଶିଲାଣି, କେବଳ ଫୁସ୍ଫୁସ୍, ରକ୍ତ, ମସ୍ତିଷ୍କ ନୁହେଁ, ପୁରୁଷର ଶୁକ୍ର ଓ ନାରୀର ଅଣ୍ଡକୋଷରେ ପଶିଲାଣି, ମାଆର ସ୍ତନ-କ୍ଷୀରରେ ବି।ଦ୍ୱାରକାରେ ଯଦୁବଂଶକୁ ଧ୍ୱଂସ କରିଥିବା ମୂଷଳ ଭଳି ଏ ପ୍ଲାଷ୍ଟିକ୍ ନୁହେଁ ତ! ଆମେ ଯେଉଁ ଲୋକଙ୍କୁ ନିର୍ବାଚିତ କରିଛୁ ସେହିମାନଙ୍କ ହାତରେ ଅଛି ଏ ମୂଷଳକୁ ନଷ୍ଟ କରିବାର କ୍ଷମତା, ସେମାନେ ହିଁ ଆଇନ ପ୍ରଣୟନକରି ପ୍ଲାଷ୍ଟିକ୍ ତିଆରି ବନ୍ଦ କରିପାରିବେ, ମହଜୁଦ ଥିବା ପ୍ଲାଷ୍ଟିକ୍କୁ ଗଭୀର ଗର୍ତ୍ତରେ ପୋତିଦେବାର ବନ୍ଦୋବସ୍ତ କରିପାରିବେ।ନ ହେଲେ ମଣିଷ ବଂଶ ବିକଳାଙ୍ଗ ହୋଇ ଏକ ନୂତନ ପ୍ରଜାତି ହୋଇଯିବନି ତ!
sahadevas@yahoo.com