ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ ଜନ୍ମ ମୃତ୍ୟୁ ପଞ୍ଜିକରଣ ଦାୟିତ୍ୱରେ ଥିବା କର୍ମଚାରୀ କର୍ପୋରେଟରଙ୍କୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ କର୍ମଚାରୀଜଣଙ୍କ ଉତ୍‌କ୍ଷିପ୍ତ ହେବା ଯୋଗୁ ମହିଳା କର୍ପୋରେଟର ପଦ୍ମିନୀ ମିଶ୍ରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଅନ୍ୟ କର୍ପୋରେଟରମାନେ ମଧ୍ୟ ସମାନ ଭାବେ ଉକ୍ତ କର୍ମଚାରୀଜଣଙ୍କୁ ଘେରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ବେଳେ ମେୟର ସଙ୍ଘମିତ୍ରା ଦଳେଇ କର୍ପୋରେଟରଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।