କାର୍ତ୍ତିକ ଶେଷ ସୋମବାର ଶୈବ ପୀଠରେ ପ୍ରବଳ ଭିଡ଼

ଜି.ଉଦୟଗିରି,୩।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ପବିତ୍ର କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ଚାଲିଥିବା ବେଳେ ଶେଷ ସୋମବାର ସ୍ଥାନୀୟ ଶୈବ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର ସକାଳୁ ଯାଇ ଶୈବ ପୀଠରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ମାସର ସୋମବାର ଦିନଟି ଶ୍ରଦ୍ଧାଳୁଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି। ଆଜି ସ୍ଥାନୀୟ ଧବଳେଶର ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା।ଭୋର୍‌ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ମନ୍ଦିର ଦ୍ୱାର ଠାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବା ସହ ଶ୍ରଦ୍ଧାଳୁଙ୍କ ନିମନ୍ତେ ପୂଜା କରାଯାଉଥିବା ବେଳେ ଆସନ୍ତା ବୁଧବାର ଦିନ ପୂର୍ଣ୍ଣମୀ ତିଥିରେ କାର୍ତ୍ତିକ ବ୍ରତ ସରିବା ନେଇ କହିଛନ୍ତି ମନ୍ଦିର ପୂଜକ ସନ୍ତୋଷ କୁମାର ମୁନି । ବିଭିନ୍ନ ଗ୍ରାମରୁ ରାଧା କୃଷ୍ଣଙ୍କ ବେଶ ପଡ଼ି କୀର୍ତ୍ତନ ମଣ୍ଡଳୀ ଦଳ ଗୁଡ଼ିକ ମଧ୍ୟ ମଦିର ପ୍ରାଙ୍ଗଣରେ ନାମକୀର୍ତ୍ତନ ସହ ରାଧା କୃଷ୍ଣଙ୍କ ନୃତ୍ୟ ପରିବେଷଣ କରି ଠାକୁରଙ୍କ ଦର୍ଶନ କରିଥିଲେ। ମନ୍ଦିର କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବା ପାଇଁ ଭିଡ଼ ନିୟନ୍ତ୍ରଣ କରିଥିଲେ। ପ୍ରବଳ ଭିଡ଼ ସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ଭକ୍ତ ମାନେ ଠାକୁରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।

 

Dharitri – Odisha’s No.1 Odia Daily