୨ ବର୍ଷରେ କେମିତି ସଞ୍ଚୟ କରିବେ ୧୦ ଲକ୍ଷ ଟଙ୍କା? ଜାଣନ୍ତୁ ନିବେଶର ରଣନୀତି…

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ଆଗାମୀ ୨ ବର୍ଷ ମଧ୍ୟରେ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ୨ ବର୍ଷରେ ୧୦ ଲକ୍ଷ ଟଙ୍କା ସଞ୍ଚୟ କରିବାର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସଠିକ ଓ ସୁଚିନ୍ତିତ ନିବେଶ ଯୋଜନା ଅତ୍ୟନ୍ତ ଆବଶ୍ୟକ। ପ୍ରଥମେ ଆପଣଙ୍କୁ ଆପଣଙ୍କ ମାସିକ ଆୟ ଓ ଖର୍ଚ୍ଚର ହିସାବ କରିବାକୁ ହେବ ଏବଂ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବାକୁ ହେବ। ଏହାପରେ ଆପଣ ନିଜ ସଞ୍ଚୟକୁ ସଠିକ ଜାଗାରେ ନିବେଶ କରି ଏହାକୁ ବଢ଼ାଇପାରିବେ। ଆସନ୍ତୁ ଜାଣିବା କିପରି ଆପଣ ୨ ବର୍ଷରେ ୧୦ ଲକ୍ଷ ଟଙ୍କା ଜମା କରିପାରିବେ।

ଏପରି କରନ୍ତୁ ଯୋଜନା:
ନିବେଶ ପାଇଁ ସବୁଠାରୁ ସହଜ ଓ ଲୋକପ୍ରିୟ ବିକଳ୍ପ ମଧ୍ୟରେ ସୁନା ଓ ମ୍ୟୁଚୁଆଲ ଫଣ୍ଡ ଅନ୍ତର୍ଭୁକ୍ତ। ସୁନାରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଅନିଶ୍ଚିତତାରୁ ସୁରକ୍ଷା ମିଳେ। ଯଦି ଆପଣ ପ୍ରତି ମାସରେ ୨୦,୦୦୦ ଟଙ୍କା ସୁନାରେ ନିବେଶ କରନ୍ତି ଏବଂ ଏହାର ବାର୍ଷିକ ବୃଦ୍ଧି ପ୍ରାୟ ୧୦% ରହେ, ତେବେ ୨ ବର୍ଷରେ ଆପଣଙ୍କ ମୋଟ ରାଶି ପ୍ରାୟ ୫.୩୧ ଲକ୍ଷ ଟଙ୍କା ହୋଇପାରେ।

ସେହିପରି ମ୍ୟୁଚୁଆଲ ଫଣ୍ଡରେ SIP (ସିଷ୍ଟେମାଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ମାଧ୍ୟମରେ ନିବେଶ କରିବା ମଧ୍ୟ ଏକ ଉତ୍ତମ ବିକଳ୍ପ। ଯଦି ଆପଣ ପ୍ରତି ମାସରେ ୨୦,୦୦୦ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି ଏବଂ ଏହାର ବାର୍ଷିକ ରିଟର୍ନ ପ୍ରାୟ ୧୨% ରହେ, ତେବେ ୨ ବର୍ଷରେ ଏହି ରାଶି ପ୍ରାୟ ୫.୪୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ।

ଯଦି ଆପଣ ଉଭୟ ବିକଳ୍ପକୁ ମିଶାଇ ନିବେଶ କରନ୍ତି, ଅର୍ଥାତ ସୁନା ଓ ମ୍ୟୁଚୁଆଲ ଫଣ୍ଡରେ ସମାନ ଭାବେ ରାଶି ଲଗାନ୍ତି, ତେବେ ମୋଟ ମାସିକ ନିବେଶ ୪୦,୦୦୦ ଟଙ୍କା ହେବ। ଏହି ରଣନୀତି ଅନୁଯାୟୀ ୨ ବର୍ଷରେ ଆପଣଙ୍କ ମୋଟ ରାଶି ପ୍ରାୟ ୧୦.୭୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ଲକ୍ଷ୍ୟ ପୂରା ୨ ବର୍ଷ ମଧ୍ୟରେ ନିୟମିତ ନିବେଶ ଓ ସଠିକ ଯୋଜନା ଦ୍ୱାରା ସହଜରେ ହାସଲ କରାଯାଇପାରେ।

ସାବଧାନତା:
ମ୍ୟୁଚୁଆଲ ଫଣ୍ଡରେ ବଜାର ସମ୍ବନ୍ଧୀୟ ଅଡ଼ୁଆ ରହିଥାଏ। ତେଣୁ ନିବେଶ ପୂର୍ବରୁ ଆପଣଙ୍କ ଅଡ଼ୁଆ ସହିଷ୍ଣୁତାର ମୂଲ୍ୟାଙ୍କନ କରିବା ଆବଶ୍ୟକ। ଯଦି ଆପଣ କମ୍‌ ଅଡୁଆ ନେବାକୁ ଚାହୁଁଛନ୍ତି, ତେବେ କର୍ପୋରେଟ ବଣ୍ଡ ଏବଂ ଫିକ୍ସଡ୍‌ ଡିପୋଜିଟ୍‌(FD) ଭଳି ବିକଳ୍ପଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ, ଯାହା ପ୍ରାୟ ୭-୧୦% ବାର୍ଷିକ ରିଟର୍ନ ଦେଇଥାଏ। ଯଦି ଆପଣ ମାସିକ ୪୦,୦୦୦ ଟଙ୍କା ସଞ୍ଚୟ କରି ଏହାକୁ ସଠିକ ନିବେଶ ବିକଳ୍ପରେ ଲଗାନ୍ତି, ତେବେ ଆଗାମୀ ୨ ବର୍ଷରେ ୧୦ ଲକ୍ଷ ଟଙ୍କାର ଲକ୍ଷ୍ୟ ସହଜରେ ହାସଲ କରାଯାଇପାରେ। ସଠିକ ଯୋଜନା ଓ ଅନୁଶାସନ ସହିତ ନିବେଶ କରିବା ହିଁ ଆପଣଙ୍କ ଟଙ୍କା ବଢ଼ାଇବାର ସବୁଠାରୁ ସହଜ ଓ ନିରାପଦ ଉପାୟ।