ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି ଅମ୍ଳ ହୋଇଗଲାଣି। ଏହାଦ୍ବାରା ଫସଲ ଉତ୍ପାଦନ ପ୍ରଭାବିତ ହେଉଛି। ଜମିର ଉର୍ବରତା ବଢ଼ାଇବାକୁ ପଡିବ। ଏଥିପାଇଁ ମାଟି ପରୀକ୍ଷା ନିୟମିତ କରିବାକୁ ପଡିବ। ମାଟିର ଅମ୍ଳ ପରିମାଣକୁ ଧରି ସାର ସୁପରିଚାଳନା କରିବାକୁ ପଡିବ। ଏଥିପାଇଁ ବୈଜ୍ଞାନିକ ମାନଙ୍କ ପରାମର୍ଶ ନେବାକୁ ପଡିବ। ଅମ୍ଳ ମାଟିରେ ଚୂନ ପକାଇ ତାକୁ ବିଶୋଧନ କରିବାକୁ ପଡିବ। ସବୁଜ ଫସଲ ଯଥା ଧନିଚା, ଛଣ ଚାଷ କରିବାକୁ ପଡିବ। ଏଥିସହ ଜୈବିକ ଚାଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ। ତାହାହେଲେ ଯାଇ ଜମିର ଉର୍ବରତା ବଢିବା ସହ ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ। ତେଣୁ ଏଥିପ୍ରତି ଚାଷୀମାନେ ଦୃଷ୍ଟି ଦେବାକୁ ଅତିଥିମାନେ ଉପସ୍ଥିତ ଚାଷୀଙ୍କୁ ଆହ୍ବାନ କରିଥିଲେ। ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୁତନୁ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶବିଦ୍ୟାଳୟର ଯୁଗ୍ମ ନିର୍ଦ୍ଧେଶକ ଡ. ରବି ରତନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜମିର ସୁପରିଚାଳନା କିଭଳି ହେବ ସେନେଇ କହିଥିଲେ। ବୈଜ୍ଞାନିକ ଡ ସିଦ୍ଧାର୍ଥ ରଣବିଜୁଳି, ଗୃହ ବିଜ୍ଞାନ ବୈଜ୍ଞାନିକ ଅନିତା ପାତ୍ର, ଜଳବାୟୁ ବୈଜ୍ଞାନିକ ସ୍ବାତି ସ୍ବୟଂପ୍ରଭା ପ୍ରଧାନ,ଏ ଏଚ୍‌ ଓ ମାନସ ରଣା, ବ୍ଲକ କୃଷି ଅଧିକାରୀ ସଂଗ୍ରାମ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

Dharitri – Odisha’s No.1 Odia Daily