ଭୋଜନ କରିବା କେମିତି

ଭାରତରେ ତଳେ ବସି ଖାଇବା ପରମ୍ପରା ରହିଛି। କିନ୍ତୁ ଦୁଃଖର କଥା ଏହି ପ୍ରଥା ଧୀରେ ଧୀରେ ଲୋପପାଇବା ଉପରେ, ଯାହାର ପ୍ରମାଣ ଆଜି ପ୍ରତ୍ୟେକ ଘରେ ଆପଣ ଦେଖିବାକୁ ପାଇବେ ଡାଇନିଂ ଟେବୁଲ। ଅବଶ୍ୟ ବୃଦ୍ଧାବୃଦ୍ଧମାନଙ୍କ କ୍ଷେତ୍ରରେ ଏହାର ସୁବିଧାକୁ ଉପଲବ୍ଧି କରାଯାଇପାରେ। ମାତ୍ର ନିତି ଘରେ ଟେବୁଲ ଉପରେ ବସି ଖାଇବା, ଭୋଜିଭାତରେ ଠିଆହୋଇ କିମ୍ବା ବୁଲି ବୁଲି ଖାଇବା ଏକ ସାଧାରଣ କଥା ହେଲାଣି। ବିଶେଷକରି ଭୂମି ଉପରେ ବସି ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୁଏ ଏବଂ ସ୍ବାସ୍ଥ୍ୟ ଭଲ ରହେ। ଏହା ପ୍ରମାଣିତ ହେବା ସତ୍ତ୍ୱେ ଆମ ଦେଶରେ ଏହାର ଆଦର ହ୍ରାସ ପାଇବା କଥା ଅତ୍ୟନ୍ତ ନିରାଶାଜନକ।
ଯୁଗ ଯୁଗ ଧରି ଚାଲି ଆସିଥିବା ଆମର ପାରମ୍ପରିକ ଭୋଜନ ପଦ୍ଧତିରେ ଚିକିତ୍ସା ଶାସ୍ତ୍ରର ନୀତି ନିୟମ ସମାହିତ ହୋଇ ରହିଛି। ଭୋଜନ ସ୍ଥାନଟି ପବିତ୍ର ଏବଂ ପରିଚ୍ଛନ୍ନ ହେବା ଉଚିତ, ଭୂଇଁ ଉପରେ ଆସନ ପକାଇ ପୂର୍ବ କିମ୍ବା ଉତ୍ତର ମୁଖ ହୋଇ ଖାଇବାକୁ ଶାସ୍ତ୍ରପୁରାଣରେ ମଧ୍ୟ କୁହାଯାଇଛି। ଖାଇବା ପୂର୍ବରୁ ଭଲଭାବରେ ଧୁଆଧୁଇ ହୋଇ ଆସନ ଉପରେ ବାମ ଜଙ୍ଘ ମାଡ଼ି ବା ଚକାପାରି ବସି ଖାଇବା ଉଚିତ। ଏକାଥରକେ ବହୁତ ନ ଖାଇ ଅଳ୍ପ ଅଳ୍ପ କରି ଭଲ ଭାବରେ ଚୋବାଇ ଖାଇବା ଉଚିତ। ଖାଇବା ମଝିରେ ବସିବା ସ୍ଥାନରୁ ଉଠିବା, କଥା ହେବା, ପାଣି ପିଇବା ମନା। ଦିନରେ ଖାଇବା ପରେ କିଛି ସମୟର ବିଶ୍ରାମ ଏବଂ ରାତ୍ରିଭୋଜନ ପରେ କିଛି ସମୟ ଚାଲିବା ପାଇଁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦିଅନ୍ତି।
ମାତ୍ର ଆମର ବ୍ୟସ୍ତବହୁଳ ଜୀବନଶୈଳୀ, ଅଳସୁଆପଣ ବା ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହିସବୁ ନିୟମ ମାନିବାକୁ ଆମେ ରାଜି ନୁହେଁ; ଯାହାର ପରିଣାମ ସ୍ବରୂପ ହଜମଜନିତ ସମସ୍ୟା, ମୋଟାପଣ ସହ ବିଭିନ୍ନ ପ୍ରକାର ରୋଗ ଆମ ଶରୀରକୁ ଗ୍ରାସ କରୁଛି। ଧ୍ୟାନଦେଲେ ଜଣାପଡ଼ିବ ସବୁ ପ୍ରକାର ରୋଗର ଗୋଟିଏ କାରଣ ଏବଂ ତାହା ହେଉଛି ଠିକ୍‌ ଖାଦ୍ୟ ଠିକ୍‌ ଉପାୟରେ ଠିକ୍‌ ସମୟରେ ଗ୍ରହଣ ନ କରିବା। ଛୋଟ ରୋଗରୁ ଆରମ୍ଭକରି ଜୀବନଘାତୀ କ୍ୟାନ୍‌ସର, ହୃଦ୍‌ରୋଗ, ପାକସ୍ଥଳୀ, ଫୁସ୍‌ଫୁସ୍‌ ଏବଂ କିଡ୍‌ନୀ ରୋଗର କାରଣ ତ୍ରୁଟିଜନିତ ଖାଦ୍ୟ ଗ୍ରହଣ ଶୈଳୀ ବୋଲି କହିଲେ ଭୁଲ୍‌ ହେବ ନାହିଁ।
ଖାଇବା ଭଳି ରନ୍ଧନ ପାଇଁ ଆବଶ୍ୟକ ପାତ୍ର ବିଷୟରେ ମଧ୍ୟ ଆଲୋଚନା ଆବଶ୍ୟକ, କାରଣ ଏହା ଉପରେ ନିର୍ଭରକରେ ଖାଦ୍ୟ ପ୍ରସ୍ତୁତିର ପ୍ରକ୍ରିୟା। ରୋଷେଇ ଏବଂ ଖାଇବା ପାଇଁ ଲୁହା, ପିତ୍ତଳ ଏବଂ ମାଟିପାତ୍ରର ବ୍ୟବହାର ଶରୀର ପକ୍ଷେ ଅତ୍ୟନ୍ତ ହିତକାରୀ। ମାତ୍ର ଏଥିରେ ମଧ୍ୟ ଏବେ ଦେଖାଯାଉଛି ବ୍ୟତିକ୍ରମ। କାରଣ ଏସବୁ ପାତ୍ର ପୁରୁଣା, ବ୍ୟୟବହୁଳ ଏବଂ ପରିଷ୍କାର କରିବାକୁ କଷ୍ଟକର ମନେହେଉଛି। ଆଲୁମିନିୟମ, ଟେଫ୍‌ଲନ୍‌ କୋଟିଂ ଏବଂ ପ୍ଲାଷ୍ଟିକ୍‌ ତିଆରି ପାତ୍ରର ବହୁଳ ବ୍ୟବହାର ଏବେ ସବୁଆଡ଼େ ଦେଖବାକୁ ମିଳୁଛି। ଏସବୁରୁ ଆହୁରି ଆଗକୁ ପାଦେ ଯାଇ ଲୋକମାନେ ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟକୁ ଶୋଲ, କାଗଜ ଏବଂ ନିମ୍ନମାନର ପ୍ଲାଷ୍ଟିକ୍‌ରେ ତିଆରି ଡବା, ଦନା ବା ଚଉପଦିରେ ଖାଇବା ଦେଖାଯାଉଛି। ପୂର୍ବେ ଦନା ବା ଚଉପଦି କେବଳ ଗଛର କଞ୍ଚା କିମ୍ବା ଶୁଖିଲା ପତ୍ରରେ ତିଆରି ହେଉଥିଲା। ଏଥିରେ ଖାଇଲେ ଗରମ ଖାଦ୍ୟ ସଂସ୍ପର୍ଶରେ ଆସିବା ପରେ ପତ୍ରରୁ ଏକ ମହମହ ବାସ୍ନା ଆସୁଥିଲା, ଯାହା ଉଭୟ ସ୍ବାଦ ଓ ସ୍ବାସ୍ଥ୍ୟ ଦିଗରୁ ଶରୀର ପାଇଁ ହିତ ସାଧନ କରୁଥିଲା। ପତ୍ର ଶୁଖିଗଲା ପରେ ମଧ୍ୟ ସେଥିରେ ଖାଇବାରେ ଅସୁବିଧା ନାହିଁ, ବରଂ ଏହାକୁ କିଛିଦିନ ଯାଏଁ ସାଇତି ରଖାଯାଇ ବ୍ୟବହାର ମଧ୍ୟ କରାଯାଇପାରେ। ପତ୍ରରେ ତିଆରି ହେବା ଯୋଗୁ ଏହା ମାଟିରେ ମିଶି କମ୍ପୋଷ୍ଟରେ ପରିଣତ ହୁଏ। ଏଣୁ ବର୍ଜ୍ୟ ବା ଆବର୍ଜନାଜନିତ ଚିନ୍ତା ମଧ୍ୟ ରହେ ନାହିଁ। ହେଲେ ଏବେ ପ୍ଲାଷ୍ଟିକ୍‌ ଓ ଶୋଲ ନିର୍ମିତ ଦନା ଓ ଡବାର ବ୍ୟବହାର ଶରୀର ପାଇଁ ତ ହାନିକାରକ ପ୍ରକୃତିକୁ ମଧ୍ୟ ସମ ପରିମାଣରେ କ୍ଷତି ପହଞ୍ଚାଉଛି।
ଠିଆହୋଇ ପାଣି ପିଇଲେ କୋଷ ବୃଦ୍ଧି ଏବଂ ପାଦଫୁଲା ହୁଏ ବୋଲି ଡାକ୍ତରମାନେ କୁହନ୍ତି। ଠିଆହୋଇ କିମ୍ବା ବୁଲି ବୁଲି ଖାଇବାର କୁପରିଣାମ ହେଉଛି, ଖାଦ୍ୟ ଠିକ୍‌ ରୂପେ ହଜମ ନ ହେବା ଏବଂ ତଜ୍ଜନିତ ସମସ୍ୟା ଏବଂ ସମସ୍ୟାରୁ ନାନାଦି ରୋଗ ଏବଂ ଅସୁସ୍ଥତା। କିନ୍ତୁ ଏକଥା ବି ସତ ଯେ ତଳେ ବସି ଖାଇବା ପାଇଁ ସେଭଳି ପ୍ରଶସ୍ତ ଜାଗା ଖଣ୍ଡିଏ ବି ଦରକାର। ପାରାଭାଡ଼ି ବା ଦିଆସିଲି ବାକ୍ସ ଭଳି ଘରେ ତଳେ ବସି ଖାଇବା ସମ୍ଭବ ନ ହେବାରୁ କ୍ରମଶଃ ଡାଇନିଂ ଟେବୁଲର ବ୍ୟବହାର ବଢ଼ିବାରେ ଲାଗିଛି।
ଆହୁରି ମଧ୍ୟ ଆମେ ଫ୍ରିଜ୍‌ରେ ଖାଦ୍ୟ ସାମଗ୍ରୀ ସଂରକ୍ଷିତ ରଖି ଅନେକ ଦିନ ପର୍ଯ୍ୟନ୍ତ ତାକୁ ସେବନ କରୁଛେ। ଥଣ୍ଡା ଓ ବାସି ଖାଦ୍ୟର କୁପ୍ରଭାବ ଶରୀର ଉପରେ କ’ଣ, ସମସ୍ତେ ଜାଣିଥିବା ସତ୍ତ୍ୱେ ଫ୍ରିଜ୍‌ର ବ୍ୟବହାର ଆମେ କମ୍‌ କରିପାରୁନାହୁଁ। ଜାପାନର ଖାଦ୍ୟନୀତି ହେଲା ସେମାନେ ଫ୍ରିଜ୍‌ରେ ଥିବା ବାସିଖାଦ୍ୟ ଖାଆନ୍ତି ନାହିଁ କି ଥଣ୍ଡାପାଣି ପିଅନ୍ତି ନାହିଁ। ସେଥିପାଇଁ ବୋଧହୁଏ ପୃଥିବୀର ସର୍ବାଧିକ ଆୟୁଷ ଜାପାନୀମାନଙ୍କର ହୋଇଥାଏ। ନୋବେଲ ପୁରସ୍କାର ବିଜୟିନୀ ଲେଖିକା ପର୍ଲ ଏସ୍‌ ବକ୍‌ଙ୍କ ପୁସ୍ତକ ‘ମାଇଁ ସେଭେରାଲ ୱଲ୍‌ଡସ ’ ରେ ସେ ଭାରତୀୟ ପାରମ୍ପରିକ ଶୈଳୀ ଅନୁସାରେ ତଳେ ବସି ହାତରେ ଭୋଜନ କରିବାର ଅପୂର୍ବ ଅନୁଭୂତିକୁ ଖୁବ୍‌ ପ୍ରଶଂସା କରିଛନ୍ତି। ପାଶ୍ଚାତ୍ୟ ଦେଶର ଅଧିବାସୀ ଆମ ଭାରତୀୟ ପାରମ୍ପରିକ ଖାଦ୍ୟ ଗ୍ରହଣ ଶୈଳୀର ପ୍ରଶଂସା କରୁଛନ୍ତି। ତାକୁ ଆପଣେଇନେବା ପାଇଁ ପରାମର୍ଶ ଦେଉଛନ୍ତି, କିନ୍ତୁ ଆମେ ନିଜର ଛାଡ଼ି ଅନ୍ୟର ଶୈଳୀ ଆପଣେଇବା ଆରମ୍ଭ କରୁଛେ। ଦେଶ ଦେଶ ମଧ୍ୟରେ ପରମ୍ପରା ଓ ଚାଲିଚଳଣିରେ ପରିବର୍ତ୍ତନ ହେବା ଠିକ୍‌; ମାତ୍ର ସେ ପରିବର୍ତ୍ତନ ସକାରାତ୍ମକ ହେବା ଉଚିତ।
ଭୁବନେଶ୍ୱର
ମେ: ୬୩୭୦୫୧୬୪୭୮