IPL ଟ୍ରଫି ଜିତିଲେ ଶ୍ରେୟସ ଆୟରଙ୍କ ଏତେ ବଢିଯିବ ଆୟ! ନେଟୱର୍ଥ ଜାଣିଲେ ତାଜୁବ ହେବ…

ମୁମ୍ବାଇ,୩।୬: ଭାରତୀୟ କ୍ରିକେଟର ତଥା ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର କେବଳ ମଇଦାନରେ ନୁହେଁ, ନେଟ୍‌ଓ୍ବର୍ଥରେ ମଧ୍ୟ ଶୀର୍ଷରେ ଅଛନ୍ତି। ୩୦ ବର୍ଷ ବୟସରେ ଶ୍ରେୟସଙ୍କ ନେଟୱର୍ଥ ପ୍ରାୟ ୬୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା, ଯାହା ତାଙ୍କୁ ଆଇପିଏଲ ଇତିହାସରେ ଦ୍ୱିତୀୟ ସବୁଠାରୁ ମହଙ୍ଗା ଖେଳାଳି କରିଛି।

ଶ୍ରେୟସଙ୍କ ଆଇପିଏଲ ଯାତ୍ରା ୨୦୧୫ ମସିହାରେ ଦିଲ୍ଲୀ ଡେୟାରଡେଭିଲସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲସ) ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ତାଙ୍କୁ ୨.୬ କୋଟି ଟଙ୍କାରେ କିଣାଯାଇଥିଲା। ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ସେ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଥିଲେ ଏବଂ ୨୦୨୦ରେ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ୨୦୨୨ରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା ଏବଂ ୨୦୨୪ରେ ସେ କେକେଆରକୁ ଆଇପିଏଲ ଟାଇଟଲ ଜିତାଇଥିଲେ। ୧୧ ବର୍ଷର ଆଇପିଏଲ କ୍ୟାରିୟରରେ ଶ୍ରେୟସ ମୋଟ ୯୯.୩ କୋଟି ଟଙ୍କା ରୋଜଗାର କରିଛନ୍ତି।

ଆଇପିଏଲ ବ୍ୟତୀତ ଶ୍ରେୟସ ଟେକ୍ନୋଲୋଜି, ଫ୍ୟାଶନ, ପାନୀୟ ଓ ଫିନଟେକ ସେକ୍ଟରର ବଡ଼ ବ୍ରାଣ୍ଡ ସହିତ ଜଡ଼ିତ। ଏହା ତାଙ୍କ ଆୟର ଏକ ପ୍ରମୁଖ ଉତ୍ସ। ସେ ମୁମ୍ବାଇର ଲୋଢା ଓାର୍ଲଡ ଟାୱାରସରେ ୧୧.୮୫ କୋଟି ଟଙ୍କାର ଏକ ଫ୍ଲାଟ କିଣିଛନ୍ତି। ତାଙ୍କ ଲଗ୍ଜରୀ କାର ସଂଗ୍ରହରେ ୩ କୋଟି ଟଙ୍କାର ଲାମ୍ବୋର୍ଗିନି ହୁରାକାନ, ୨.୪୫ କୋଟି ଟଙ୍କାର ମର୍ସିଡିଜ-ବେଞ୍ଜ ଜି୬୩ ଏଏମଜି ଏବଂ ଅଡ଼ି ଏସ୫ ରହିଛି।

ଶ୍ରେୟସ ଆୟର ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସକୁ ଫାଇନାଲରେ ପହଞ୍ଚାଇଛନ୍ତି, ଯେଉଁଠାରେ ସେ ମୁମ୍ବାଇ ଇଣ୍ଡିଆନସ ବିପକ୍ଷରେ ୪୧ ବଲରେ ୮୭ ରନର ଏକ ଦୁର୍ଦାନ୍ତ ଇନିଂସ ଖେଳିଥିଲେ। ସେ ତିନୋଟି ଭିନ୍ନ ଦଳ (ଦିଲ୍ଲୀ କ୍ୟାପିଟାଲସ, କେକେଆର ଓ ପଞ୍ଜାବ କିଙ୍ଗସ)କୁ ଆଇପିଏଲ ଫାଇନାଲରେ ପହଞ୍ଚାଇଥିବା ପ୍ରଥମ ଅଧିନାୟକ ଭାବେ ଇତିହାସ ରଚିଛନ୍ତି। ୨୦୨୫ ଆଇପିଏଲରେ ସେ ୧୬ ମ୍ୟାଚରେ ୩୯ଟି ଛକା ମାରି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଶ୍ରେୟସ ପୂର୍ବରୁ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ୮ କୋଟି ଟଙ୍କା ରୋଜଗାର କରିଛନ୍ତି। ତାଙ୍କ ପରିବାରରେ ତାମିଲ ଓ ତୁଳୁ ସଂସ୍କୃତିର ମିଶ୍ରଣ ରହିଛି। ଶ୍ରେୟସଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସ ଆଇପିଏଲ ୨୦୨୫ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ମୁହାଁମୁହିଁ ହେବ। ଯଦି ପଞ୍ଜାବ ଜିତେ, ତେବେ ଶ୍ରେୟସ ଦୁଇଟି ଭିନ୍ନ ଦଳ ସହ ଆଇପିଏଲ ଟାଇଟଲ ଜିତିଥିବା ପ୍ରଥମ ଅଧିନାୟକ ହେବେ।

Share