ଦୁବାଇ,୧୪।୯: ଏପ୍ରିଲ୍ରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଏବେ ମଧ୍ୟ ରୋଷ ପ୍ରବଳ ରହିଛି। ଏହାର କାରଣରୁ ଏସିଆ କପ୍ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ବୟକଟ୍ କରିବାକୁ ଦାବି ବଢ଼ିଛି। ସୋମବାର ରାତି ୮ଟାରେ ଆରମ୍ଭ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ଶେଷ ମୁହୂର୍ତ୍ରେ ନ ହେଲେ କିଏ କେତେ ଟଙ୍କାର କ୍ଷତି ସହିବେ ? ମ୍ୟାଚ୍ ୟୁଏଇରେ ଖେଳାଯାଉଥିବା ବେଳେ ବିସିସିଆଇ ଏହାର ଆୟୋଜକ ରହିଛି। ଏହା ରଦ୍ଧ ହେଲେ ବିସିସିଆଇଙ୍କୁ ବଡ଼ ଆର୍ଥିକ୍ କ୍ଷତି ସହିବାକୁ ପଡିପାରେ।
ମ୍ୟାଚ୍ ନ ହେଲେ ପ୍ରଥମେ ବ୍ରଡକାଷ୍ଟିଙ୍ଗ୍ ଡିଲ୍ ଉପରେ ପ୍ରଭାବ ପଡ଼ିବ। ଭାରତ-ପାକିସ୍ତାନ ମ୍ୟାଚ୍ର ଭ୍ୟୁଅରସିପ୍ ରେକର୍ଡ୍ ଭାଙ୍ଗୁଛି, କିନ୍ତୁ ୨୦୨୫ ଏସିଆ କପ୍ରେ ଏହା ନହେଲେ ପ୍ରାୟ ୧୫୦୦ କୋଟି ଟଙ୍କାର ବ୍ରଡକାଷ୍ଟିଙ୍ଗ୍ ଡିଲ୍ ବାତିଲ୍ ହୋଇଯିବ। ଏକ ଏସିଆ କପ୍ ପାଇଁ ଏରୁ ୩୭୫ କୋଟି ଟଙ୍କାର ଅଂଶ। ୨୦୨୪ରେ ବିସିସିଆଇ ଅଧିକାରୀ କହିଥିଲେ, ପରବର୍ତ୍ତୀ ଚାରି ଏସିଆ କପ୍ ପାଇଁ ବ୍ରଡକାଷ୍ଟିଙ୍ଗ୍ ରାଇଟ୍ସ୍ ୧୭୦ ମିଲିୟନ୍ ଡଲାର (ପ୍ରାୟ ୧୫୦୦ କୋଟି ଟଙ୍କା)ରେ ବିକ୍ରୀ ହୋଇଛି। ଏହାର ମୁଖ୍ୟ କାରଣ ଭାରତ-ପାକିସ୍ତାନ ମ୍ୟାଚ୍। ମ୍ୟାଚ୍ ନହେଲେ ବ୍ରଡକାଷ୍ଟର୍ମାନେ ବିସିସିଆଇଙ୍କୁ ଦୋଷ ଦେବେ, ପରିସ୍ଥିତି ଖରାପ ହେଲେ ଡିଲ୍ ମଝିରେ ଶେଷ ହୋଇପାରେ।
ଭାରତ-ପାକିସ୍ତାନ ମ୍ୟାଚ୍ ବିଶ୍ୱବ୍ୟାପୀ କୋଟିକୋଟି ଲୋକ ଦେଖନ୍ତି। ଅଧିକ ଭ୍ୟୁଅରସିପ୍ରୁ ବିଜ୍ଞାପନ ସ୍ଲଟ୍ ପାଇଁ ବ୍ରଡକାଷ୍ଟର୍ ବଡ଼ ରାଶି ଆଦାୟ କରନ୍ତି। ରିପୋର୍ଟ୍ ଅନୁଯାୟୀ, ଏସିସି ଓ ଆଇସିସି ଇଭେଣ୍ଟ୍ରେ ୧୦ ସେକେଣ୍ଡ୍ର ବିଜ୍ଞାପନ ୨୫-୩୦ ଲକ୍ଷରେ ବିକ୍ରୀ ହୁଏ। ମ୍ୟାଚ୍ ନ ହେଲେ କୌଣସି କମ୍ପାନୀ ଡିଲ୍ ଚାଲୁ ରଖିବ ନାହିଁ ? ଏହି ହାଇ-ପ୍ରୋଫାଇଲ୍ ମ୍ୟାଚ୍ ପାଇଁ ବଡ଼ କମ୍ପାନୀମାନେ ସ୍ପନ୍ସର ହେବାକୁ ଲାଇନ୍ରେ ରହନ୍ତି। ଏବେ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଟାଇଟଲ୍ ସ୍ପନ୍ସର ନାହିଁ (ଅନଲାଇନ୍ ଗେମିଙ୍ଗ୍ ବିଧେୟକ ପରେ ଡ୍ରିମ୍୧୧ ସହ ଡିଲ୍ ଶେଷ), କିନ୍ତୁ ଅନ୍ୟ କମ୍ପାନୀମାନେ ସ୍ପନ୍ସର କରୁଛନ୍ତି। ମ୍ୟାଚ୍ ନ ହେଲେ ସ୍ପନ୍ସରମାନେ ମଧ୍ୟ ବୋର୍ଡ୍କୁ ପ୍ରଶ୍ନ କରିବେ।
ପହଲଗାମ୍ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପିଡ଼ିତ ପରିବାରମାନେ, ରାଜନୈତିକ ନେତାମାନେ (ଯଥା ଉଦ୍ଧବ ଠାକରେ, ଭଗବନ୍ତ ମାନ୍) ଓ ପୂର୍ବତନ ଖେଳାଳି (ଯଥା ମନୋଜ ତିୱାରୀ) ବୟକଟ୍ର ଆହ୍ୱାନ୍ ଦେଇଛନ୍ତି। ସୋସିଆଲ୍ ମିଡ଼ିଆରେ #BoycottINDvsPAK ଟ୍ରେଣ୍ଡିଙ୍ଗ୍। ତେବେ ବିସିସିଆଇ କହିଛି ଯେ, ମଲ୍ଟିନେସନାଲ୍ ଟୁର୍ନାମେଣ୍ଟ୍ ବୟକଟ୍ କରିପାରିବେ ନାହିଁ, କାରଣ ଏହା ଭବିଷ୍ୟତ୍ରେ ନେଗେଟିଭ୍ ପ୍ରଭାବ ପକାଇବ।