ଦୁଇ ବର୍ଷରେ ୨୧୪ ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ, GDP’ର ୮୨ ପ୍ରତିଶତ…

ନୂଆଦିଲ୍ଲୀ,୧୧।୨: ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ମୋଟ ଦେଣଦେଣ ପରିମାଣ ପ୍ରାୟ ୧୭.୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇବାକୁ ଯାଉଛି। ଯଦି ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟର ଋଣକୁ ମିଶାଯାଏ, ତେବେ ଏହା ଜିଡିପିର ପ୍ରାୟ ୮୨% ହେବ।

ରିପୋର୍ଟ ଅନୁଯାୟୀ ୨୦୨୭ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ମୋଟ ଆନୁମାନିକ ଋଣ ୨୧୪,୮୨,୦୫୦ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଏହି ସମୟରେ ଆଭ୍ୟନ୍ତରୀଣ ଋଣ ପ୍ରାୟ ୨୦୭.୭ ଲକ୍ଷ କୋଟି ଟଙ୍କା ଏବଂ ବୈଦେଶିକ ଋଣ ପ୍ରାୟ ୭.୧୧ ଲକ୍ଷ କୋଟି ଟଙ୍କା ରହିବ।

ସରକାରଙ୍କ ମୋଟ ଋଣର ସିଂହଭାଗ ହେଉଛି ଆଭ୍ୟନ୍ତରୀଣ, ଯାହା ବଣ୍ଡ୍ ଏବଂ ଟ୍ରେଜେରୀ ବିଲ୍ ମାଧ୍ୟମରେ ଘରୋଇ ବଜାରରୁ ସଂଗ୍ରହ କରାଯାଇଥାଏ।

ତେବେ ଋଣର ପରିମାଣ ଅଧିକ ଜଣାପଡ଼ୁଥିଲେ ମଧ୍ୟ ଜିଡିପି (GDP) ତୁଳନାରେ ଏଥିରେ ସାମାନ୍ୟ ସୁଧାର ଆସିଛି। ଋଣ-ଜିଡିପି ଅନୁପାତ ୨୦୨୬-୨୭ ବର୍ଷ ପାଇଁ ଏହା ୫୫.୬% ରହିବ ବୋଲି ଆକଳନ କରାଯାଇଛି, ଯାହା ପୂର୍ବ ବର୍ଷ (୫୬.୧%) ତୁଳନାରେ କମ୍। ସରକାର ୨୦୩୦ ସୁଦ୍ଧା ଏହି ଅନୁପାତକୁ ୫୦%କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅର୍ଥନୀତିଜ୍ଞଙ୍କ ମତରେ ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ଋଣ ଏକ ଅପରିହାର୍ଯ୍ୟ ସାଧନ। ହାଇୱେ, ରେଳପଥ, ବନ୍ଦର, ଡିଜିଟାଲ୍ ଭିତ୍ତିଭୂମି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଧରଣର ପୁଞ୍ଜି ନିବେଶ ପାଇଁ ଏହି ଋଣ ବ୍ୟବହାର କରାଯାଉଛି, ଯାହା ଭବିଷ୍ୟତରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

Share
Tags: India debt