ଚର୍ଚ୍ଚାରେ ଭାରତର ପ୍ରଥମ ମହିଳା ସୁପରହିରୋ ଫିଲ୍ମ, ପଛରେ ପଡ଼ିଲେ ବଡ଼ ତାରକା

ମାଲାୟାଲମ ସିନେମାରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ପ୍ରଥମ ମହିଳା ସୁପରହିରୋ ଫିଲ୍ମ ‘ଲୋକାହ ଚାପ୍ଟର ୧: ଚନ୍ଦ୍ରା’ ଦର୍ଶକଙ୍କ ମନ ଜିଣିବା ସହ ବକ୍ସ ଅଫିସରେ ସୁପରଷ୍ଟାର ମୋହନଲାଲଙ୍କ ନୂଆ ଫିଲ୍ମ ‘ହୃଦୟପୂର୍ବମ’କୁ ପଛରେ ପକାଇ ଏକ ନୂଆ ରେକର୍ଡ ସ୍ଥାପନ କରିଛି।

ଡୋମିନିକ ଅରୁଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ କଲ୍ୟାଣୀ ପ୍ରିୟଦର୍ଶନ, ନସଲେନ ଓ ଅନ୍ୟାନ୍ୟ ଅଭିନେତା ଅଭିନୟ କରିଛନ୍ତି। ‘ଲୋକାହ’ କେବଳ ଏକ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ନୁହେଁ, ଏହା ଏକ ସାଂସ୍କୃତିକ ବୟାନ। ମାତ୍ର ୫ ଦିନରେ ଏହା ୩୦ କୋଟି ଟଙ୍କା ଆୟ କରି ପ୍ରମାଣ କରିଛି ଯେ ମହିଳା-କେନ୍ଦ୍ରୀୟ ସୁପରହିରୋ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିପାରେ।

‘ଲୋକାହ’ କେବଳ ମାଲାୟାଲମ ନୁହେ ବରଂ ଭାରତୀୟ ସିନେମାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏହା ସୁପରହିରୋ ଘରାଣାରେ ମହିଳା ଚରିତ୍ରଙ୍କୁ ମୁଖ୍ୟ ଭୂମିକାରେ ଉପସ୍ଥାପନ କରି ପାରମ୍ପରିକ ଧାରଣାକୁ ଚ୍ୟାଲେଞ୍ଜ କରିଛି। କଲ୍ୟାଣୀ ପ୍ରିୟଦର୍ଶନ ଅଭିନୀତ ଚନ୍ଦ୍ରା ଚରିତ୍ର ଏକ ଶକ୍ତିଶାଳୀ ମହିଳା ସୁପରହିରୋ ଭାବେ ଦର୍ଶକଙ୍କୁ ମୁଗ୍ଧ କରିଛି। ସେ ପୁରୁଷ କେନ୍ଦ୍ରିକ ଚରିତ୍ରଙ୍କୁ ପରାସ୍ତ କରିବା ଠାରୁ ଆରମ୍ଭ କରି ଚମତ୍କାର ଷ୍ଟଣ୍ଟ ଓ ଗୁରୁତ୍ୱପୂର୍ଣ୍ଣ ମିଶନ ସମ୍ପାଦନ କରି ନିଜର ଶକ୍ତି ପ୍ରମାଣ କରିଛନ୍ତି। ଚନ୍ଦ୍ରା ‘ଲୋକାହ’ ଜଗତରେ ଦୁର୍ବଳ ନାୟିକା ନୁହେଁ, ବରଂ ଏକ ନୂଆ ମହିଳା ସୁପରହିରୋ ଯାହା ଦର୍ଶକଙ୍କୁ ଆବଶ୍ୟକ ଥିଲା।

ନିକଟ ଅତୀତରେ ମାଲାୟାଲମ ସିନେମା ଭିନ୍ନ କାହାଣୀ ଓ କ୍ରିଏଟିଭ ନିର୍ଦ୍ଦେଶନା ପାଇଁ ପ୍ରସିଦ୍ଧ। ‘ଲୋକାହ’ ଏକ ମହିଳା ସୁପରହିରୋଙ୍କୁ ନେଇ ଏକ ନୂଆ ସିନେମାଟିକ ଜଗତର ସୃଷ୍ଟି କରି ଏହି ପରମ୍ପରାକୁ ଆଗେଇ ନେଇଛି।