କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେମିତି କଟିଥାଏ ସୁଧ, ନଚେତ୍ ଫସିଯିବେ ଋଣ ଜାଲରେ

ମୁମ୍ବାଇ,୧୮ା୧: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ସହଜ ପେମେଣ୍ଟ ସୁବିଧା ଯୋଗୁଁ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ସୁବିଧା ପଛରେ ଲୁଚି ରହିଥିବା ‘ସୁଧାର ଚକ୍ରବ୍ୟୁହ’କୁ ନ ବୁଝିଲେ ଆପଣ ବଡ଼ ଆର୍ଥିକ ସଙ୍କଟରେ ପଡ଼ିପାରନ୍ତି। କେବଳ ଗୋଟିଏ ଦିନର ବିଳମ୍ବ ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ।

କେମିତି ହୁଏ ସୁଧର ଗଣନା?
ଅଧିକାଂଶ ବ୍ୟାଙ୍କ ୪୫ ରୁ ୫୦ ଦିନର ‘ଇଣ୍ଟ୍ରେଷ୍ଟ ଫ୍ରି ପିରିୟଡ୍’ ସୁବିଧା ଦେଇଥାନ୍ତି। କିନ୍ତୁ ମନେରଖନ୍ତୁ, ଯଦି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିଲ୍ ପୈଠ ନକରନ୍ତି, ତେବେ ବ୍ୟାଙ୍କ ଏଭରେଜ୍ ଡେଲି ବାଲାନ୍ସ (ADB) ଆଧାରରେ ସୁଧ ଆଦାୟ କରେ।

ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣ ଟଙ୍କା ଦେବାରେ ଗୋଟିଏ ଦିନ ବି ବିଳମ୍ବ କରନ୍ତି, ତେବେ ସୁଧ କେବଳ ସେହି ଗୋଟିଏ ଦିନ ପାଇଁ ଲାଗେନାହିଁ। ବରଂ ଆପଣ ଯେଉଁ ଦିନ ସାମଗ୍ରୀ କିଣିଥିଲେ, ସେହି ଦିନଠାରୁ ପେମେଣ୍ଟ କରିବା ଦିନ ପର୍ଯ୍ୟନ୍ତ ସମସ୍ତ ଦିନ ପାଇଁ ସୁଧ ଗଣନା କରାଯାଏ।

ଉଦାହରଣରୁ ବୁଝନ୍ତୁ:
ଧରନ୍ତୁ, ଆପଣ ଜାନୁଆରୀ ୧ ତାରିଖରେ ୧୦,୦୦୦ ଟଙ୍କାର ସପିଂ କଲେ। ଆପଣଙ୍କୁ ଫେବୃଆରୀ ୨୦ ସୁଦ୍ଧା ଟଙ୍କା ଦେବାର ଥିଲା। ଯଦି ଆପଣ ଫେବୃଆରୀ ୨୧ରେ ଟଙ୍କା ଦେଉଛନ୍ତି, ତେବେ ଆପଣଙ୍କୁ ପୁରା ୫୧ ଦିନର ସୁଧ ଦେବାକୁ ପଡ଼ିବ। ୩.୫% ମାସିକ ସୁଧ ହାର ହିସାବରେ ଏହି ରାଶି ପ୍ରାୟ ୫୮୬ ଟଙ୍କା ହେବ। ଏହା ସହିତ ୧୮% ଜିଏସଟି (GST) ଅଲଗା ଭାବେ ଦେବାକୁ ପଡ଼ିବ।

ଅନେକ ଉପଭୋକ୍ତା ଭାବନ୍ତି କେବଳ ମିନିମମ୍ ଡ୍ୟୁ ପୈଠ କରିଦେଲେ ସେମାନେ ସୁଧରୁ ବଞ୍ଚିଯିବେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ମିନିମମ୍ ଡ୍ୟୁ ଦେବା ଦ୍ୱାରା କେବଳ ଆପଣଙ୍କ କାର୍ଡ ବ୍ଲକ୍ ହୁଏନାହିଁ ଏବଂ ଲେଟ୍ ଫି’ ଲାଗେ ନାହିଁ। କିନ୍ତୁ ବକେୟା ଥିବା ବାକି ରାଶି ଉପରେ ବ୍ୟାଙ୍କ ପ୍ରବଳ ସୁଧ ଆଦାୟ ଜାରି ରଖେ। ଫଳରେ ଆପଣଙ୍କ ଋଣ କମିବା ପରିବର୍ତ୍ତେ ମାସକୁ ମାସ ବଢ଼ିଚାଲେ।

ସାବଧାନ ରହିବା ଜରୁରୀ:
ଅଧିକ ସୁଧ: ମାସିକ ୩.୫% ସୁଧ ବାର୍ଷିକ ପ୍ରାୟ ୫୧% ପର୍ଯ୍ୟନ୍ତ ଯାଇପାରେ।

ସିବିଲ୍ ସ୍କୋର: କେବଳ ମିନିମମ୍ ଡ୍ୟୁ ପୈଠ କଲେ ବ୍ୟାଙ୍କ ନଜରରେ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ବୋଲି ପ୍ରମାଣିତ ହୁଏ, ଯାହା ଆପଣଙ୍କ ସିବିଲ୍ (CIBIL) ସ୍କୋର ଖରାପ କରିଥାଏ।

ଜିଏସଟି ଓ ପେନାଲ୍ଟି: ସୁଧ ଉପରେ ୧୮% ଜିଏସଟି ଲାଗୁଥିବାରୁ ବୋଝ ଆହୁରି ବଢ଼ିଯାଏ।

Share