ଲାଞ୍ଜିଗଡ଼,୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ନିର୍ମାଣଧୀନ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ବର୍ଷେ ହେଲା କାମ ବନ୍ଦ ଥିବାବେଳେ ବର୍ତ୍ତମାନ ସେଇ ଜାଗା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି I ଲାଞ୍ଜିଗଡ଼ ପଞ୍ଚାୟତ ୧୯୫୭ରେ ଆରମ୍ଭ ହୋଇଥିବା ବେଳେ ନିଜସ୍ବ ପଞ୍ଚାୟତ ଗୃହ ନ ଥିଲା। ଅସ୍ଥାୟୀ ଭାବେ ଏକ ଭଡାଘର ନେଇ ପଞ୍ଚାୟତ କାର୍ଯ୍ୟାଳୟ ଚାଲି ଆସୁଥିଲା। ଏନେଇ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ପଞ୍ଚାୟତର ନିଜସ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ୧ ବର୍ଷ ହେଲା ବନ୍ଦ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଅଫିସ କାମ ସମେତ ହିତାଧିକାରୀମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ୧୯୫୬ ମସିହା ଜୁନ ୩୦ ତାରିଖରେ ଏହି ପଞ୍ଚାୟତ କାର୍ଯ୍ୟାଳୟକୁ ଲାଞ୍ଜିଗଡବାସୀ ଲାଞ୍ଜିଗଡ଼ ସମବାୟ ସମିତିର ଏକ ଘର ଭଡାରେ ନେଇ ଅସ୍ଥାୟୀ ରୂପେ ପଞ୍ଚାୟତ କାର୍ଯ୍ୟ କରି ଆସୁଥିଲେ। ଏହି ୬୮ ବର୍ଷ ମଧ୍ୟରେ ୨୫ ଗୋଟି ସରପଞ୍ଚ ନିଜ ନିଜ କାର୍ଯ୍ୟ ତୁଲାଇ ସାରିଲେଣି। କିନ୍ତୁ ଲାଞ୍ଜିଗଡବାସୀ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବାରମ୍ବାର ବ୍ଳକ ତଥା ଜିଲା ପ୍ରଶାସନ ସ୍ତରରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ରାଜ୍ୟ ସରକାର ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ଲାଞ୍ଜିଗ ପ୍ରତି ଅଣଦେଖା କରୁଛନ୍ତି ବୋଲି ଲୋକେ ନାପସନ୍ଦ କରିଥିଲେ। ନିଜସ୍ବ କାର୍ଯ୍ୟାଳୟ ନଥିବା ଯୋଗୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏଣୁ ରାଜାରାଜୁଡା ଅମଳରୁ ଭଙ୍ଗା ଦଦରା ଭଡା ଘରେ ଚାଲିଥିବା ପଞ୍ଚାୟତ କାର୍ଯ୍ୟାଳୟରେ ରେକର୍ଡ ପତ୍ର ସୁରକ୍ଷିତ ନ ଥିବାବେଳେ ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ।
ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଲାଞ୍ଜିଗଡ଼ ସାପ୍ତାହିକ ହାଟ ପ୍ରାଙ୍ଗଣରେ ନୂତନ ଗୃହ ପାଇଁ ଭୂମି ପୂଜନ ହୋଇଥିଲା। ଏହାପରେ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ମନ୍ଥର ଗତିରେ କାମ ଚାଲିଥିବା ବେଳେ ନିମ୍ନମାନର ଦେଉଥିବା ଲୋକେ ଅଭିଯୋଗ କରିଥିଲେ। ସୂଚନା ଫଳକ ନଥିବା ଯୋଗୁ କେତେ ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ହେଉଛି ଓ ଏହାର ସମୟସୀମା କେତେଦିନ ରହିଛି ବୋଲି ଲୋକେ ବାରମ୍ବାର ପଚାରିଥିଲେ ମଧ୍ୟ ତାହାର ଉତ୍ତର ମିଳି ନ ଥିଲା। ଏହା ବ୍ୟତୀତ ତଦାରଖ ଦାୟିତ୍ୱରେ ଥିବା ବ୍ଳକ କନିଷ୍ଠ ଯନ୍ତ୍ରୀର ଅନୁପସ୍ଥିତି ଯୋଗୁ ଲାଞ୍ଜିଗଡ଼ବାସୀ ବ୍ଳକ ପ୍ରଶାସନ ନିକଟରେ କାମ ଭଲଭାବରେ ଓ ଶୀଘ୍ର କରିବା ପାଇଁ ଦାବି କରିଥିଲେ। କିନ୍ତୁ ଆରମ୍ଭ ହୋଇ ମାତ୍ର ୫/୬ ମାସ କାମ ପରେ ଆଜିକୁ ୧ ବର୍ଷ ହେଲା ବନ୍ଦ ଗୃହ ନିର୍ମାଣ କାମ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ନିର୍ମାଣଧିନ ଅଧପନ୍ତରିଆ କୋଠାରେ ଦିନ ରାତି ମଦୁଆ ଓ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି। ଅନ୍ୟପକ୍ଷରେ ନିଜସ ପଞ୍ଚାୟତ ଗୃହ ନଥିବା ଯୋଗୁ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ବାଧ୍ୟ ସୃଷ୍ଟି ହେଉଥିବା ବେଳେ ପଞ୍ଚାୟତ ଅଧୀନରେ ଥିବା ୭ ଗୋଟି ଗ୍ରାମର ୬ ହଜାରରୁ ଉଦ୍ଧର୍ବ ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଏ ନେଇ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ପଚାରିବାରୁ ପଞ୍ଚାୟତର ପାଣ୍ଠି ନ ଥିବା ଯୋଗୁ କାମ ବନ୍ଦ ଅଛି ତେଣୁ ପ୍ରଶାସନକୁ ପାଣ୍ଠି ପାଇଁ ଆବେଦନ କରାଯାଇଛି ପାଣ୍ଠି ଆସିଲେ କାମ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତିI