ବର୍ଷାରେ ଭାଙ୍ଗିଲା ଘର: ପଲିଥିନ ତଳେ ପରିବାର

କୋକସରା,୨୬ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମରେ ପାଞ୍ଚପ୍ରାଣୀ କୁଟୁମ୍ବ ସହ ରହନ୍ତି ଧନସାଏ ଧରୁଆ। ଝାଟିମାଟି ଘରେ ବୃଦ୍ଧ ପିତା ଇନ୍ଦ୍ର ଧରୁଆ, ସ୍ତ୍ରୀ ସରସ୍ବତୀ, ଦୁଇ ଝିଅ ବୈଦେହି ଓ ଯମୁନାଙ୍କୁ ନେଇ ଧନସାଏ ମୂଲଲାଗି ପରିବାର ପ୍ରତିପୋଷଣ କରନ୍ତି।

ଗତ ଦୁଇ ଦିନ ଧରି ଲଗାଣ ବର୍ଷା ପରିବାର ଲୋକଙ୍କୁ ଆଣିଦେଇଛି ଦୁଃଖ। ପ୍ରବଳ ବର୍ଷା ମାଡ଼ରେ ଭାଙ୍ଗି ଯାଇଛି ଝାଟିମାଟିର ଘର। ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର। ବର୍ତ୍ତମାନ ପରିବାର ବେସାହାରା ହୋଇପଡିଛନ୍ତି। ରାଜ୍ୟ ସରକାରଙ୍କ ଆବାସ ଗୃହ ତାଙ୍କ ପାଇଁ ସ୍ବପ୍ନ ହୋଇଛି। ଏପରି ଏକ ଦୁଃଖଦ ପରିସ୍ଥିତିରେ ବ୍ଲକ ପ୍ରଶାସନ ଅସହାୟ ପରିବାରକୁ ସରକାରୀ ସହାୟତା ଓ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଡହଗାଁ ରାଜସ୍ବ ନିରୀକ୍ଷକ ରାଧା ଗୋବିନ୍ଦ ପଟ୍ଟନାୟକଙ୍କୁ ପଚାରିବାରୁ ପଲିଥିନ ଦେବାସହ କ୍ଷୟକ୍ଷତି ରିପୋର୍ଟ ତହସିଲ କାର୍ଯ୍ୟାଳୟରେ ଦାଖଲ କରିବା ପରେ ସରକାରୀ ନିୟମ ମୁତାବକ ଯାହା କ୍ଷତିପୂରଣ ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Share