ଅଗ୍ନିକାଣ୍ଡରେ ଜଳିଗଲା ଘର-ଗୁହାଳ: ସହାୟତା ପ୍ରଦାନ କଲେ ତହସିଲଦାର

ଦିଗପହଣ୍ଡି,୧୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଉଜ୍ଜ୍ୱଳ ଗୌଡ଼ଙ୍କ ବାସଗୃହ ସମେତ ଗୁହାଳ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୨ଟି ମଇଁଷି ମଧ୍ୟ ଅର୍ଦ୍ଧ ଦଗ୍ଧ ହୋଇଯାଇଥିଲେ। ସେହିପରି ଲଳିତ ମୋହନ ଗୌଡ଼ଙ୍କ ଏକ ଗୁହାଳ ପୋଡ଼ିଯାଇଥିଲା। ଘଟଣାଦିନ ବିଳମ୍ବିତ ରାତିରେ କାରଣରୁ ଉଜ୍ଜ୍ବଳଙ୍କ ଘରେ ନିଆଁ ଲାଗିଯାଇଥିଲା। କ୍ରମଶଃ ନିଆଁର ପ୍ରକୋପ ଯୋଗୁ ଗୁହାଳରେ ଲାଗି ନିଆଁ ଲାଗି ଯାଇଥିଲା। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଜଳି ଯାଇଥିବା ଜଣାପଡ଼ିଛି। ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଗ୍ରାମରେ ପହଞ୍ଚି ବିପନ୍ନ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଉଜ୍ଜ୍ୱଳଙ୍କ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ରାଶି ଓ ଜରି ପାଲ ପ୍ରଦାନ କରିଥିଲେ। ତହସିଲଦାରଙ୍କ ସହ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଭୀଷ୍ମଗିରି ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ, ସମିତିସଭ୍ୟ ପ୍ରତିନିଧି ସମୀର ବେହେରା , ସାମାଜିକ କର୍ମୀ କେ. ନରସିଂହ ପାତ୍ର, ବିକ୍ରମ ପାତ୍ର, ସୁଦାମ ବେହେରା, ତ୍ରିନାଥ ଗୌଡ଼ , ଓ୍ବାର୍ଡସଭ୍ୟ ପୀତବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପ୍ରାଣୀ ଚିକିତ୍ସାଧିକାରୀ ପହଞ୍ଚି ଗୁରୁତର ଆହତ ମଇଁଷି ୨ଟିର ଚିକିତ୍ସା କରି ଫେରିଥିବା ଜଣାପଡ଼ିଛି।

Share
Tags: Fire