ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ। ନିର୍ଦ୍ଧିଷ୍ଟ କିଛି ବଡ ବଡ ହୋଟେଲରେ ରାତିର ବଳକା ଖାଦ୍ୟକୁ ତା ପର ଦିନ ମଧ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି।
ଏଥିସହ ଅନେକ ହୋଟେଲରେ ପୋଡା ତେଲ ସାଙ୍ଗକୁ ନିମ୍ନ ମାନର ତେଲ ବ୍ୟବହାର ହେଉଛି। ଯାହାକି ସ୍ବାସ୍ଥ୍ୟ ପାଇଁ ହାନିକାରକ। ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ ହୋଇଥିଲେ ଏହି ସମସ୍ୟା କମିଥାନ୍ତା । କିନ୍ତୁ ନିୟମିତ ଯାଞ୍ଚ ହେଉନାହିଁ। ନିମ୍ନ ମାନର ଖାଦ୍ୟ ଦୈନନ୍ଦିନ ବ୍ୟବହାର ଦ୍ୱାରା ସାସ୍ଥ୍ୟ ଖରାପ ହେଉଛି।
ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ସେହିଭଳି ନିମ୍ନ ମାନର ରାଶନ ସାମଗ୍ରୀ ମଧ୍ୟ କେତେକ ଦୋକାନରେ ବିକ୍ରି ହେଉଛି। ଦୋକାନୀମାନେ ଦର ତାଲିକା ଦୋକାନ ସମ୍ମୁଖରେ ମାରୁନାହାନ୍ତି। ମନ ଇଛା ଦରରେ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି।
 ପେଟ୍ରୋଲ ପମ୍ପ ଗୁଡ଼ିକରେ ପ୍ରେସର ମାଗଣା ଦିଆଯିବା ସହ ବିଶୁଦ୍ଧ ଜଳ, ଶୌଚାଳୟ ସମେତ ଅନ୍ୟାନ୍ୟ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଅଛି। ମାତ୍ର ପେଟ୍ରୋଲ ପମ୍ପ ବିତରକ ମାନେ ସରକାରୀ ନିୟମକୁ ମାନୁ ନାହାନ୍ତି। ଭଞ୍ଜନଗର ସହରରେ ଥିବା କୌଣସି ପେଟ୍ରୋଲ ପମ୍ପରେ ପମ୍ପ ଦେବା ସୁବିଧା ନାହିଁ। ନାମକୁ ମାତ୍ର ଯନ୍ତ୍ର ଥୁଆ ହୋଇଛି। ଗ୍ରାହକ କହିଲେ ଲୋକ ନାହିଁ ପେଟ୍ରୋଲ ପମ୍ପ କର୍ମଚାରୀ କହୁଛନ୍ତି। ଶୌଚାଳୟ ଗୁଡ଼ିକ ସଫା ରହୁନାହିଁ। ଏଥିସହ ସହରରେ କ୍ଷୀର, ଛେନା, ପନିର ମଧ୍ୟ ନିମ୍ନ ମାନର ବିକ୍ରି ହେଉଥିବା ଅଭିଯୋଗ ହେଉଛି। ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକରେ ନିୟମିତ ଯାଞ୍ଚ ପାଇଁ ଦାବି ହୋଇଛି।
Dharitri – Odisha’s No.1 Odia Daily

Share