ଅତାବିରା, ୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ – ସମ୍ବଲପୁର ଜାତୀୟ ରାଜପଥରେ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଅତାବିରା – ଧର୍ମଶାଳା ଛକରେ ଏହି ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଯେ ଉଭୟ ଟ୍ରକ୍ ଚୁର୍ମାର୍ ହୋଇଯାଇଛି। ଘଟଣାରେ ଉଭୟ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହେଲପର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ଦମକଳବାହିନୀ ଓ ପୋଲିସ ପହଞ୍ଚି ଗାଡି ଭିତରୁ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା। ପରେ ଉଭୟ ଟ୍ରକ୍ ଡ୍ରାଇଭରଙ୍କୁ ଗୁରୁତର ଭାବେ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଜଣେ ଟ୍ରକ୍ ଡ୍ରାଇଭର ବିହାର ରାଜ୍ୟର ହୋଇଥିବାବେଳେ ତାଙ୍କ ନାମ ମହମଦ ଈସ୍ମାଇଲ ବୋଲି ତାଙ୍କ ସହଯୋଗୀ ହେଲପର କହିଥିବାବେଳେ ଅନ୍ୟ ଡ୍ରାଇଭରଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ତେବେ କେଉଁ କାରଣରୁ ଉଭୟ ଟ୍ରକ୍ ମୁହାଁମୁହିଁ ହେଲେ ତାକୁ ନେଇ ଅତାବିରା ପୋଲିସ ତଦନ୍ତ ଆରମ୍ଭ କରିଛି।