ଏମ୍‌ବିଏ ସହ କରିଥିଲେ ସିଏ; ହେଲେ କ୍ରିକେଟକୁ ବାଛିଥିଲେ; ଏବେ ଟିମ୍‌ ଇଣ୍ଡିଆରେ ସୁଯୋଗ ମିଳିବା ପରେ…

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ନାମ କମାଇଥିବା ଅଲରାଉଣ୍ଡରଙ୍କ ସଂଖ୍ୟା ଅଧିକ ନୁହେଁ। ଏଥିନେଇ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ସହ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ଭାବନ୍ତି  ମଧ୍ୟପ୍ରଦେଶର ୨୬ ବର୍ଷୀୟ ଖେଳାଳି ଭେଙ୍କଟେଶ ଆୟାର। ତାଙ୍କୁ ଭାରତ ଟି-୨୦ ଟିମ୍‌ ପକ୍ଷରୁ ଖେଳିବାର ସୁଯୋଗ ମିଳିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ  ସ୍ଥାନ ପାଇଛନ୍ତି ।

ଭେଙ୍କଟେଶ କହିଛନ୍ତି, ଏବେଯାଏ ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟ ଭଲ। ମୁଁ ଅଲରାଉଣ୍ଡର। ଏଣୁ ମୋତେ ଖେଳର ଉଭୟ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ମୁଁ ସର୍ବଦା ଲାଲ୍‌ ବଲ୍‌ରେ ଖେଳିବା ଉପରେ ବହୁତ ପରିଶ୍ରମ କରିଛି। ଏହି କୌଶଳ ପର୍ଯ୍ୟନ୍ତ ସୀମିତ ରହିବାକୁ ମୁଁ ଚାହେଁନା। ଯଦି ଭାରତ ପାଇଁ ଖେଳିବାକୁ ଅଛି ତେବେ ସମସ୍ତ ଫର୍ମାଟରେ ଲଗାତାର ଭାବେ ଭଲ ପ୍ରଦର୍ଶନ କରିବାକୁ ହେବ। ଏଣୁ ମୁଁ ଉଭୟ ବ୍ୟାଟିଂ ଏବଂ ବୋଲିଂ ଉପରେ ଗୁରୁତ୍ୱ ଦେଉଛି  ।

ଏହାଛଡ଼ା ସେ ନିଜ ସ୍ବପ୍ନ ସାକାର କରିବାକୁ କାମ କରୁଥିଲେ। ହେଲେ ଏତେ ଶୀଘ୍ର ତାହା ପୂରଣ ହେବ  ଭାବି ନ ଥିଲେ। ଏମ୍‌ବିଏ ସାରିବା ପରେ ତାଙ୍କୁ ଚାକିରି ଲାଗି ସୁଯୋଗ ମିଳିଥିଲା। ଏହାଛଡ଼ା ଚାଟାର୍ଡ ଆକାଉଣ୍ଟାଣ୍ଟର ଫାଉଣ୍ଡେଶନ ଏବଂ ଇଣ୍ଟର ସ୍ତରର ପରୀକ୍ଷା ସେ ପାସ କରିଛନ୍ତି। ହେଲେ ସେ କ୍ରିକେଟ ଖେଳିବା ଜାରି ରଖିଥିଲେ ବୋଲି ଭେଙ୍କଟେଶ କହିଛନ୍ତି।