ପାଠ ପଢିବାକୁ ବାରଣ୍ଡା ଭରସା: ନୂଆ କୋଠାରେ ପଡିଛି ତାଲା

ଦାରିଙ୍ଗବାଡି, ୧୨।୯ (ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ପାଠ ପଢିବାକୁ ବାରଣ୍ଡା ଭରସା। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଶ୍ରେଣୀ ଗୃହର ଅଭାବ ଯୋଗୁ ୭ଟି ଶ୍ରେଣୀ ପାଇଁ ମାତ୍ର ୫ଟି ଗୃହ ରହିଛି। ତାହା ମଧ୍ୟ ବିପଦସଂକୁଳ ଓ ବହୁ ପୁରାତନ ଗୃହରେ ଶିକ୍ଷାଦାନ କରାଯାଉଛି। ଶ୍ରେଣୀଗୃହର ଅଭାବକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ନୂତନ କୋଠା ନିର୍ମାଣ କରାଯିବା ସହ କୋଠାର ରଙ୍ଗଦେବା କାର୍ଯ୍ୟ ସରିଯାଇଛି। କିନ୍ତୁ କୌଣସି କାରଣରୁ ଉକ୍ତ କୋଠାଟି ବିଦ୍ୟାଳୟକୁ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ସପ୍ତମଶ୍ରେଣୀ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି। ଗୋଟିଏ ଶ୍ରେଣୀର ପାଠପଢା ସମୟରେ ଅନ୍ୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଠ ପଢାରେ ବ୍ୟାଘାତ ଘଟୁଥିବା ନେଇ ଛାତ୍ରୀଛାତ୍ର ଅସନ୍ତୋଷ ହେଉଛନ୍ତି।
ସେହିପରି ରୋଷେଇ ଶାଳରେ ବର୍ଷା ପାଣି ଗଳୁଥିବାରୁ ସେଠାରେ ରହିଥିବା ସାମଗ୍ରୀ ଓଦା ହୋଇ ନଷ୍ଟ ହୋଇଯାଉଥିବା ମୁନି ପାଇକ କହିଛନ୍ତି। ସେ ରୋଷେଇ ଶାଳ ମରାମତି ସହ ବିଦ୍ୟାଳୟ ପଛ ପାଖକୁ ମାଟି ପକାଇ ମରାମତି କରାଗଲେ ପୁତ୍ତିମୟୀ ଗନ୍ଧ ବନ୍ଦ ହୋଇପାରିବ ବୋଲି ସେ କହିଛନ୍ତି। ଏଥିସହ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ପ୍ରଧାନ ଶିକ୍ଷକ ସୁକମୁନି ଦିଗାଲ କହିଛନ୍ତି। ନୂତନ କୋଠାରେ ଏଲଇ ଟିଭି ଓ ଅନ୍ୟାନ୍ୟ ଟେବୁଲ ଚେୟାର ଆଦି ଆସିବାକୁ ରହିଛି। ସେ ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ତାଙ୍କ ବିଦ୍ୟାଳୟର ସମସ୍ୟାକୁ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।