ହଲ୍ଦ୍ୱାନୀ, ୧୫ା୨(ପି.ଟି.):୩୮ତମ ଜାତୀୟ କ୍ରୀଡ଼ାର ପ୍ରତିଯୋଗିତାଗୁଡ଼ିକ ଗୁରୁବାର ଶେଷ ହୋଇଥିବା ବେଳେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ସ୍ପୋଟର୍ସ କମ୍ପ୍ଲେକ୍ସଠାରେ ଉଦ୍ଯାପନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଉଦ୍ବୋଧନ ଦେଇ କ୍ରୀଡ଼ାରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆମ ଦେଶ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ଗେମ୍ସର ପରିସମାପ୍ତି ଘୋଷଣା କରିଥିଲେ। ପରେ ସେ ଗେମ୍ସର ପରବର୍ତ୍ତୀ ଆୟୋଜକ ରାଜ୍ୟ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ୍ ସାଙ୍ଗ୍ମାଙ୍କୁ ପତାକା ହସ୍ତାନ୍ତର କରିଥିଲେ। ଶାହାଙ୍କ ବ୍ୟତୀତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ ଇଭେଣ୍ଟରେ ଯୋଗଦାନ କରିଥିଲେ। ଗତ ଦୁଇସପ୍ତାହ ଧରି ଆଥ୍ଲେଟମାନଙ୍କ ପ୍ରଦର୍ଶନର ସେ ଉଚ୍ଚ ପ୍ରଶଂସା କରିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କୁ ସ୍ମାରକୀ, ଏକ ଶାଲ୍ ଏବଂ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ।