Categories: ମେଟ୍ରୋ

ସ୍କୁଲ, ବ୍ଲକ, ଜିଲାସ୍ତରରେ ହେବ ହକି କ୍ରୀଡ଼ା

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆସନ୍ତାବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ଓ୍ବାଲର୍‌ଡ କପ୍‌-୨୦୨୩ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଛନ୍ତି। ତେବେ ପିଲାଙ୍କ ମଧ୍ୟରେ କିପରି ହକି ଖେଳ ଏବଂ ପୁରୁଷ ହକି ବିଶ୍ୱ କପ୍‌ର ପ୍ରଚାର କରିହେବ, ସେଥିପାଇଁ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ଯୋଜନା କରିଛି। ସ୍କୁଲ, ବ୍ଲକ୍‌ ଓ ଜିଲାସ୍ତରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜନ କରି ସେଥିରେ ହକିକୁ ପ୍ରାଧାନ୍ୟ ଦେବା ପାଇଁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କ୍ରୀଡ଼ା ଉତ୍ସବ ଆୟୋଜନ ନେଇ ଏସ୍‌ଓପି ମଧ୍ୟ ଜାରି ହୋଇଛି। ଏ ନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ମଙ୍ଗଳବାର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସ୍କୁଲ, ବ୍ଲକ ଓ ଜିଲାସ୍ତରରେ ଥିବା ଖେଳପଡ଼ିଆରେ ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ଓ୍ବାଲର୍‌ଡ କପ୍‌ର ହୋର୍ଡିଂ, ବ୍ୟାନର, ପୋଷ୍ଟର ଲଗାଇବା ପାଇଁ କୁହାଯାଇଛି। ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଇଁ କ’ଣ ଯୋଜନା କରାଯାଉଛି ସେ ସମ୍ପର୍କରେ ସମସ୍ତ ସୂଚନା ୮ତାରିଖ ସୁଦ୍ଧା ଓସେପା ଓ୍ବେବ୍‌ସାଇଟ୍‌କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏସ୍‌ଓପି ଅନୁସାରେ, ବାର୍ଷିକ କ୍ରୀଡ଼ା ଉତ୍ସବରେ ହକି ବିଶ୍ୱକପ୍‌ -୨୦୨୩ ଥିମ୍‌କୁ ନେଇ ଛାତ୍ରୀଛାତ୍ର ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା କରାଯିବ। ଯେଉଁ ଜିଲାରେ ହକି ଲୋକପ୍ରିୟ ରହିଛି, ସେଠାରେ ବାର୍ଷିକ କ୍ରୀଡ଼ା ଉତ୍ସବରେ ହକିକୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି। ଯେହେତୁ ହକି ବିଶ୍ୱକପ୍‌ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ, ସେଥିପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାର ପିଲାଙ୍କ ମଧ୍ୟରେ ଯେତେ ସମ୍ଭବ ହକି ଖେଳ ଆୟୋଜନ କରିବେ। ବିଭିନ୍ନ ସ୍ତରରେ ସ୍ପୋର୍ଟସ ଆକ୍ଟିଭିଟି କ’ଣ ହେଉଛି ସେ ନେଇ ଇନ୍ସପେକ୍ଟର ଅଫ୍‌ ଫିଜିକାଲ ଏଜୁକେଶନ(ଆଇପିଇ) ଦୈନିକ ରିପୋର୍ଟ ଦାଖଲ କରିବେ। ସ୍କୁଲ ଓ ବ୍ଲକ ସ୍ତରରେ ଡିସେମ୍ବର ୮ ରୁ ୨୦ତାରିଖ ଏବଂ ଜିଲାସ୍ତରରେ ଜାନୁୟାରୀ ୨ରୁ ୧୦ତାରିଖ ସୁଦ୍ଧା ବାର୍ଷିକ କ୍ରୀଡ଼ା ଉତ୍ସବ ଶେଷ କରିବେ। ଏଥିପାଇଁ ଆର୍ଥତ୍କ ଅନୁଦାନ ମଧ୍ୟ ଦିଆଯାଇଛି। ସ୍କୁଲଗୁଡ଼ିକ କ୍ରୀଡ଼ା ପାଇଁ ପୂର୍ବରୁ ପାଇଥିବା ଅର୍ଥକୁ ଖର୍ଚ୍ଚ କରିପାରିବେ। ତେବେ ୩୧୪ ବ୍ଲକ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମୋଟ ୧,୬୯,୫୬,୦୦୦ ଟଙ୍କା ଦିଆଯାଇଛି। ପ୍ରତି ବ୍ଲକ୍‌ ପିଛା ୫୪ ହଜାର ଟଙ୍କା ଖର୍ଚ୍ଚ ହେବ। ସେହିପରି ଜିଲାସ୍ତରରେ ଖେଳ ଆୟୋଜନ ପାଇଁ ସମସ୍ତ ଜିଲା ଓ ଭୁବନେଶ୍ୱର ସ୍କୁଲ ସ୍ପୋର୍ଟସ ଆସୋସିଏଶନ ସଚିବଙ୍କୁ ମୋଟ ୧,୪୭,୪୯,୭୮୦ ଟଙ୍କା ଦିଆଯାଇଛି। ଜିଲା ସ୍ତରୀୟ ଖେଳ ପାଇଁ ଅତିରିକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିବାବେଳେ ସ୍କୁଲ ଓ ବ୍ଲକ ସ୍ତରରେ ବ୍ଲକ ଶିକ୍ଷାଧିକାରୀଙ୍କୁ ନୋଡାଲ ଅଫିସର କରାଯାଇଛି।