HIV ବା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଏକ ଏପରି ସଂକ୍ରମଣ ଯାହା ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ଦୁର୍ବଳ କରିଦିଏ। ଏହି ଭାଇରସ ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ସୂଚୀ ବ୍ୟବହାର, ରକ୍ତ ସଞ୍ଚାରଣ (ବ୍ଲଡ ଟ୍ରାନ୍ସଫ୍ୟୁଜନ) ଏବଂ ମା’ଙ୍କଠାରୁ ଶିଶୁକୁ ଜନ୍ମ କିମ୍ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୁଏ।
ଏଚ୍ଆଇଭି ସଂକ୍ରମଣ ହେଲେ ଶରୀରର ରୋଗ ପ୍ରତିରୋଧ ପ୍ରଣାଳୀ ଧୀରେ ଧୀରେ ଦୁର୍ବଳ ହୁଏ, ଯାହାଫଳରେ ସାଧାରଣ ସଂକ୍ରମଣକୁ ମଧ୍ୟ ଶରୀର ମୁକାବିଲା କରିପାରେ ନାହିଁ। ଅସୁରକ୍ଷିତ ଯୌନ ସମ୍ପର୍କ ରଖୁଥିବା ବ୍ୟକ୍ତି, ମାଦକ ଦ୍ରବ୍ୟ ପାଇଁ ଇଞ୍ଜେକ୍ସନ ବ୍ୟବହାର କରୁଥିବା ଲୋକେ ଏବଂ ଏଚଆଇଭି ପଜିଟିଭ ମା’ଙ୍କ ନବଜାତ ଶିଶୁମାନେ ଏହି ସଂକ୍ରମଣରେ ସବୁଠାରୁ ଅଧିକ ଜୋଖିମରେ ଥାଆନ୍ତି। ତେବେ, ସମୟରେ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଏହି ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରେ।
ଏଚ୍ଆଇଭି ସଂକ୍ରମଣ ତିନୋଟି ପର୍ଯ୍ୟାୟରେ ବୃଦ୍ଧି ପାଏ:
ଆକ୍ୟୁଟ ଏଚ୍ଆଇଭି ଇନଫେକ୍ସନ: ଏହି ପ୍ରଥମ ପର୍ଯ୍ୟାୟରେ ଭାଇରସ ଶରୀରରେ ଦ୍ରୁତ ଗତିରେ ବ୍ୟାପିଥାଏ।
କ୍ଲିନିକାଲ ଲେଟେନ୍ସି: ଏହି ଦ୍ୱିତୀୟ ପର୍ଯ୍ୟାୟରେ ଭାଇରସ ସକ୍ରିୟ ଥାଏ, କିନ୍ତୁ ଲକ୍ଷଣ କମ ଦେଖାଯାଏ।
ଏଡ଼ସ: ଏହା ଅନ୍ତିମ ପର୍ଯ୍ୟାୟ, ଯେଉଁଠାରେ ରୋଗ ପ୍ରତିରୋଧ ପ୍ରଣାଳୀ ଗମ୍ଭୀର ଭାବେ ଦୁର୍ବଳ ହୋଇଯାଏ। ଏହି ସମୟରେ ରୋଗୀଙ୍କୁ ବାରମ୍ବାର ଗମ୍ଭୀର ସଂକ୍ରମଣ ଓ ରୋଗ ହୁଏ। ଏଚଆଇଭି ଧୀରେ ଧୀରେ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ନଷ୍ଟ କରିଦିଏ, ଯାହାଫଳରେ ସାଧାରଣ ରୋଗ ମଧ୍ୟ ଜୀବନଘାତୀ ହୋଇପାରେ। ସମୟରେ ଚିକିତ୍ସା ନ ହେଲେ ଏହା ଶରୀରର ପ୍ରାୟ ସମସ୍ତ ଅଙ୍ଗକୁ ପ୍ରଭାବିତ କରିପାରେ।
ଏଚ୍ଆଇଭିର ପ୍ରାରମ୍ଭିକ ଲକ୍ଷଣ
ଡକ୍ଟରଙ୍କ କହିବା ଅନୁସାରେ, ଏଚଆଇଭିର ପ୍ରାରମ୍ଭିକ ଲକ୍ଷଣ ଅନେକ ସମୟରେ ସାଧାରଣ ଭାଇରାଲ ସଂକ୍ରମଣ ପରି ଦେଖାଯାଏ, ଯାହାକୁ ଲୋକେ ଅଣଦେଖା କରିଦିଅନ୍ତି। ସଂକ୍ରମଣର ୨ ରୁ ୪ ସପ୍ତାହ ମଧ୍ୟରେ ରୋଗୀଙ୍କୁ ଜ୍ୱର, ଗଳା ଖରାପ, ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା ଏବଂ ଥକ୍କା ଅନୁଭବ ହୋଇପାରେ। କିଛି ଲୋକଙ୍କ ଶରୀରରେ ଲାଲ ଦାଗ, ଲିମ୍ଫ ନୋଡ୍ସ ଫୁଲିଯିବା ଏବଂ ରାତିରେ ଝାଳ ବୋହିବା ମଧ୍ୟ ଦେଖାଯାଏ। ଓଜନ ଦ୍ରୁତ ଗତିରେ କମିବା, ବାରମ୍ବାର ଝାଡ଼ା ହେବା ଏବଂ ନିରନ୍ତର ଦୁର୍ବଳତା ମଧ୍ୟ ସାଧାରଣ ଲକ୍ଷଣ। ପ୍ରାରମ୍ଭିକ ପର୍ଯ୍ୟାୟର ଲକ୍ଷଣ କିଛି ସପ୍ତାହ ମଧ୍ୟରେ ନିଜେ ନିଜେ କମିଯାଇପାରେ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଭାଇରସ ଶେଷ ହୋଇଗଲା। ଏହା ଶରୀରରେ ଲୁଚି ରହି ଧୀରେ ଧୀରେ ରୋଗ ପ୍ରତିରୋଧ ପ୍ରଣାଳୀକୁ ନଷ୍ଟ କରେ। ତେଣୁ, ଏପରି ଲକ୍ଷଣ ଦେଖାଦେଲେ ସମୟରେ ଏଚ୍ଆଇଭି ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ, ଯାହା ଦ୍ୱାରା ସଂକ୍ରମଣର ଶୀଘ୍ର ଚିହ୍ନଟ ଓ ଚିକିତ୍ସା ହୋଇପାରିବ।
ପ୍ରତିକାର କିପରି କରିବେ?
-ସର୍ବଦା ସୁରକ୍ଷିତ ଯୌନ ସମ୍ପର୍କ ରଖନ୍ତୁ।
-ଇଞ୍ଜେକ୍ସନ, ବ୍ଲେଡ ଓ ରେଜର ଅନ୍ୟମାନଙ୍କ ସହ ବାଣ୍ଟିବାକୁ ଏଡ଼ାନ୍ତୁ।
-ଏଚ୍ଆଇଭି ପଜିଟିଭ ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରନ୍ତୁ, ଯାହାଦ୍ୱାରା ସଂକ୍ରମଣ ଶିଶୁକୁ ନ ବ୍ୟାପେ।
-କେବଳ ପରୀକ୍ଷିତ ଓ ସୁରକ୍ଷିତ ରକ୍ତ ସଞ୍ଚାରଣ କରାନ୍ତୁ।
-ମାଦକ ଦ୍ରବ୍ୟ ପାଇଁ ଇଞ୍ଜେକ୍ସନ ବ୍ୟବହାରକୁ ଏଡ଼ାନ୍ତୁ।
-ନିୟମିତ ଅନ୍ତରାଳରେ ଏଚ୍ଆଇଭି ପରୀକ୍ଷା କରାନ୍ତୁ।
ସଚେତନତା ହିଁ ସୁରକ୍ଷା
ଏଚ୍ଆଇଭି ଏକ ଗମ୍ଭୀର ସଂକ୍ରମଣ, କିନ୍ତୁ ସଠିକ ସଚେତନତା, ସମୟୋଚିତ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରେ। ସମାଜରେ ଏଚ୍ଆଇଭି ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ସୁରକ୍ଷିତ ଜୀବନଶୈଳୀ ଅପଣାଇବା ଏହି ସଂକ୍ରମଣରୁ ରକ୍ଷା ପାଇବାର ସବୁଠାରୁ ଉତ୍ତମ ଉପାୟ।