ଐତିହାସିକ ଠାକୁରାଣୀ ଯାତ୍ରା: ମନ୍ଦିରରୁ ଭକ୍ତଙ୍କ ପାଖକୁ ଛୁଟି ଆସିଛନ୍ତି ମା’, ଦାଣ୍ଡେ ଦାଣ୍ଡେ ବୁଲି…

ପୁରୁଷୋତ୍ତମପୁର,୧୨ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପଞ୍ଚ ଠାକୁରାଣୀ ଯାତ୍ରାର ସୋମବାର ଷଷ୍ଠ ଦିବସରେ ପହଞ୍ଚିଛି। ପ୍ରତ୍ୟହ ସନ୍ଧ୍ୟାରେ ବଜବାଜଣାର ପଟୁଆର ମଧ୍ୟରେ ମା’ ପଞ୍ଚ ଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କ ଘଟ ସହର ପରିକ୍ରମା କରିବାରେ ଲାଗିଛନ୍ତି।

ପରମ୍ପରା ଅନୁସାରେ, ପାଞ୍ଚଜଣ ଗୋପାଳ ସମ୍ପ୍ରଦାୟର ପୁରୁଷ ମୁଣ୍ଡାଇ ବଡ଼ବଜାରସ୍ଥିତ ଅସ୍ଥାୟୀ ମନ୍ଦିରରୁ ବାହାରି ଗୋଟାଏ ଦିନ ପୂର୍ବଖଣ୍ଡର ରାଧାକାନ୍ତ ସାହି, ରଥସାହି, ପୋଲିସ ଥାନା, ପୁରୁଣା ପୋଷ୍ଟଅଫିସ ସାହି, ଧୋବାସାହି, କଲେଜ ଛକ, ଅମୁଣିଆ ସାହି ମେନ୍‌ରୋଡ୍‌ ଆଦି ପରିକ୍ରମା କରୁଥିବା ବେଳେ ଆଉଗୋଟାଏ ଦିନ ପଶ୍ଚିମ ଖଣ୍ଡର ଚାଙ୍ଗୁଡିଆପଦର ସାହି, ନନ୍ଦିକସାହି,ପୂରୁଣା ଜଗନ୍ନାଥ ସାହି,ଗଡସାହି ଓ କନକା ସାହିକୁ ପରିକ୍ରମାରେ ଯାଉଛନ୍ତ। ମା’ଙ୍କ ପରିକ୍ରମା ସମୟରେ ଦାଣ୍ଡେ ଦାଣ୍ଡେ କିଏ ମା’ଙ୍କ ପାଦ ଧୋଇଦେବା ସହ ଆଉ କିଏ ନୂତନ ବସ୍ତ୍ର ପ୍ରଦାନ କରୁଛନ୍ତି। ସମସ୍ତେ ନିଜ ନିଜର ଘର ଆଗରେ ଭୋଗଦେଇ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି । ଦୀର୍ଘ ଦୁଇବର୍ଷ ପରେ ଏକା ସଙ୍ଗରେ ପାଞ୍ଚ ଗୋଟି ଠାକୁରାଣୀଙ୍କୁ ଘରପାଖରେ ପାଇ ଲୋକେ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏହି ଯାତ୍ରା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Share