ଆମେରିକାର ଆଉ ଏକ ପଦକ୍ଷେପ ଭାରତ ପାଇଁ ବଢିଲା ସମସ୍ୟା: ବିପଦରେ ପଡିବାକୁ ଯାଉଛି…

ନୂଆଦିଲ୍ଲୀ/ଓ୍‌ବାଶିଂଟନ,୧୦।୯: ଟ୍ରମ୍ପ ପ୍ରଶାସନର ସାମ୍ପ୍ରତିକ ନୀତି ଭାରତର ସମସ୍ୟାକୁ ଆହୁରି ବୃଦ୍ଧି କରିଛି। ଭାରତୀୟ ସାମଗ୍ରୀ ଉପରେ ଭାରୀ ଟାରିଫ୍‌ ଲାଗୁ କରିବା ପରେ, ଆମେରିକା ଏବେ ଏହାର ସେବା ରପ୍ତାନିକୁ ଟାର୍ଗେଟ କରିଛି। ଆମେରିକାର ସିନେଟରେ ଏକ ନୂତନ ବିଲ, ହଲ୍ଟିଂ ଇଣ୍ଟରନ୍ୟାସନାଲ ରିଲୋକେସନ ଅଫ ଏମ୍ପ୍ଲୟମେଣ୍ଟ ଆକ୍ଟ, ରଖାଯାଇଛି। ଅର୍ଥାତ୍‌ ଆମେରିକା ଆଉଟସୋର୍ସିଂ କାମ କରୁଥିବା କମ୍ପାନୀଗୁଡ଼ିକ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି। ଯଦି ଏହି ପ୍ରସ୍ତାବ ଆଇନରେ ପରିଣତ ହୁଏ, ତେବେ ଭାରତୀୟ ଆଇଟି ଶିଳ୍ପ ଏକ ବଡ଼ ଝଟକା ପାଇପାରେ। ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଟିକସ ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକର ବୋଝ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ପାଇପାରେ।

ଯଦି ଆଉଟସୋର୍ସିଂ ସମ୍ବନ୍ଧୀୟ ଏହି ପ୍ରସ୍ତାବିତ ଆଇନ ଆସନ୍ତା ବର୍ଷ ଅର୍ଥାତ୍‌ ଜାନୁଆରୀ ୧, ୨୦୨୬ରୁ କାର୍ଯ୍ୟକାରୀ ହୁଏ, ତେବେ ଆମେରିକୀୟ କମ୍ପାନୀଗୁଡ଼ିକୁ ସେମାନଙ୍କର ବିଶ୍ୱ ଆଉଟସୋର୍ସିଂ ମଡେଲ ଉପରେ ପୁନର୍ବିଚାର କରିବାକୁ ପଡିବ। ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନଙ୍କୁ ରାଜ୍ୟ ଏବଂ ସ୍ଥାନୀୟ ଟିକସ ସହିତ ଉତ୍ପାଦ ଶୁଳ୍କ ମଧ୍ୟ ଦେବାକୁ ପଡିବ, ଯାହା ଖର୍ଚ୍ଚ ବହୁ ଗୁଣ ବୃଦ୍ଧି କରିବ।

ଆମେରିକାର ରିପବ୍ଲିକାନ ସେନେଟର୍‌ ବର୍ନି ମୋରେନୋ (ଓହିଓ) ହଲ୍ଟିଂ ଇଣ୍ଟରନ୍ୟାସନାଲ ରିଲୋକେସନ ଅଫ ଏମ୍ପ୍ଲୟମେଣ୍ଟ (HIRE) ଆଇନ ପ୍ରଣୟନ କରିଛନ୍ତି। ଯଦି ଏହା ଆମେରିକୀୟ ସଂସଦରେ ଗୃହୀତ ହୁଏ, ତେବେ ଆମେରିକୀୟ କମ୍ପାନୀଗୁଡ଼ିକୁ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଦେବାକୁ ପଡିବ। ପ୍ରସ୍ତାବିତ ଆଇନରୁ ଯାହା ବି ରାଜସ୍ବ ମିଳିବ ତାହା ଆମେରିକାର ମଧ୍ୟବିତ୍ତ ବର୍ଗଙ୍କ ବିକାଶ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ।

Share
Tags: donald trump