ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି। ଏଠାରେ ଏକ ହିନ୍ଦୁ ପରିବାରର ୫ଟି ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ସାହା ପରିବାରର ସଦସ୍ୟମାନେ ଶୋଇଥିବା ସମୟରେ ବାହାରୁ କବାଟ ବନ୍ଦ କରି ଦୁର୍ବୃତ୍ତମାନେ ଘର ଭିତରକୁ କପଡ଼ା ପୁରାଇ ନିଆଁ ଲଗାଇ ଦେଇଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ୫ଟି ଯାକ ଘର ଜଳିବାକୁ ଲାଗିଥିଲା। ପରିବାରର ୮ ଜଣ ସଦସ୍ୟ ଟିଣ ଚାଦର ଓ ବାଉଁଶ ବାଡ଼ କାଟି ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ସେମାନଙ୍କର ସମସ୍ତ ଆସବାବପତ୍ର ଏବଂ ଗୃହପାଳିତ ପଶୁ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ପିରୋଜପୁର ପୋଲିସ ଅଧିକ୍ଷକ ମହମ୍ମଦ ମଞ୍ଜୁର ଅହମ୍ମଦ ସିଦ୍ଦିକି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ଏହି ଘଟଣା ପୂର୍ବରୁ ଗତ ଡିସେମ୍ବର ୧୮ରେ ମୟମନସିଂହ ଜିଲାରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଯୁବକଙ୍କୁ ଧର୍ମ ନିନ୍ଦା ଅଭିଯୋଗରେ ପିଟି ପିଟି ହତ୍ୟା କରାଯିବା ସହ ଶରୀରକୁ ଜାଳି ଦିଆଯାଇଥିଲା। ସେହିଭଳି ରାଜବାଡ଼ିରେ ମଧ୍ୟ ଅମୃତ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପିଟି ପିଟି ମାରି ଦିଆଯାଇଛି।

ଚଳିତ ବର୍ଷ ଜୁନ୍‌ରୁ ଡିସେମ୍ବର ମଧ୍ୟରେ ହିନ୍ଦୁଙ୍କ ବିରୋଧରେ ୭୧ରୁ ଅଧିକ ଧର୍ମ ନିନ୍ଦା ମାମଲା ସାମ୍ନାକୁ ଆସିଛି। ଶେଖ ହସିନାଙ୍କ ସରକାର ପତନ ପରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଅମଳରେ ଚରମପନ୍ଥୀଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ଭାରତ ବିରୋଧୀ ମନୋଭାବ ତୀବ୍ର ହୋଇଛି।

ସଂଖ୍ୟାଲଘୁଙ୍କ ଉପରେ ଏଭଳି ସୁନିୟୋଜିତ ଆକ୍ରମଣ ବାଂଲାଦେଶରେ ମାନବାଧିକାର ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ସାହା ପରିବାର ଓ ସ୍ଥାନୀୟ ସଂଖ୍ୟାଲଘୁମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

Share