କୋଚି,୨୭ା୨(ପି.ଟି.): ‘ଦି କେରଳ ଷ୍ଟୋରି ୨- ଗୋଜ୍ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ ଗୁରୁବାର ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍ସର ବୋର୍ଡ ସାର୍ଟିଫିକେଟ ଦେବାବେଳେ ଠିକ୍ଭାବେ ବିଚାର କରି ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଥିବା ଜଷ୍ଟିସ୍ ବେଚୁ କୁରିଅନ୍ ଥୋମାସ୍ କହିଛନ୍ତି । ଶୁକ୍ରବାର ଚଳଚ୍ଚିତ୍ର ମୁକ୍ତିଲାଭ ହେବାକୁ ଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ୨ଟି ପିଟିଶନ ଦାଏର ହୋଇଥିଲା।
ଚଳଚ୍ଚିତ୍ର ଯେପରି ସାମାଜିକ ସଦ୍ଭାବନାକୁ ବ୍ୟାଘାତ ନ କରିବ ତାହା ସୁନିଶ୍ଚିତ କରିବା ପାଇଁ ଗାଇଡ୍ଲାଇନ ରହିଛି। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫ୍ସି) ଏହାକୁ ଅନୁପାଳନ କରି ନ ଥିବା ଜଣାପଡ଼ୁଛି ବୋଲି ଉଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି। କୌଣସି ବିଷୟବସ୍ତୁର ପ୍ରଚାର ପ୍ରସାର ଦ୍ୱାରା ଆଇନ ଶୃଙ୍ଖଳାରେ ବାଧା ସୃଷ୍ଟି କିମ୍ବା ସାମାଜିକ ସଦ୍ଭାବନାକୁ ପ୍ରଭାବିତ କରିବା ପ୍ରବୃତ୍ତି ଥିଲେ, ତାହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ)ର ବାକ୍ ଓ ଅଭିବ୍ୟକ୍ତି ସ୍ବାଧୀନତା ପରିସରରେ ଆସୁନାହିଁ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ୨ ସପ୍ତାହ ମଧ୍ୟରେ ନିର୍ଦ୍ଦେଶନାମା ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ସରକାର ଆବେଦନକାରୀ, ସିବିଏଫ୍ସି ଏବଂ ଚଳଚ୍ଚିତ୍ରର ନିର୍ମାତାଙ୍କ ମତାମତ ଶୁଣାଣି ପାଇଁ ସୁଯୋଗ ଦେବେ।