ଦିଲ୍ଲୀ ବିସ୍ଫୋରଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୧୧ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ଓଡ଼ିଶାର ସମ୍ବେଦନଶୀଳ ସ୍ଥାନଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ଉପକୂଳ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ ମହାକାଳପଡା ବ୍ଲକ ଅଞ୍ଚଳର ମହାକାଳପଡ଼ା, ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନାକୁ ଆଲର୍ଟ ଜାରି କରାଯାଇଛି ବୋଲି ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳ କହିଛନ୍ତି।
ସନ୍ଦିଗ୍ଧମାନଙ୍କୁ ଦେଖିଲେ କିମ୍ବା କୌଣସି ବ୍ୟକ୍ତିଙ୍କ ପ୍ରତି ସନ୍ଦେହ ହେଲେ ତୁରନ୍ତ ନିକଟସ୍ଥ ପୋଲିସକୁ ସୂଚନା ଦେବା ପାଇଁ କୁହାଯାଇଛି। ବଙ୍ଗୋପସାଗର କୂଳରେ ସମ୍ବେଦନଶୀଳ ବତୀଘର ଫଲ୍ସ ପଏଣ୍ଟ, ହୁକିଟୋଲା ଓ ପାରାଦ୍ୱୀପ ବୃହତ ବନ୍ଦର ସହିତ ସମୁଦ୍ର ସଂଲଗ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ଥିବାରୁ ବିଶେଷ ସତର୍କ ରହିବାକୁ କୁହାଯାଇଛି। ଅପର ପକ୍ଷରେ ସମୁଦ୍ର ମଧ୍ୟରେ ଛଦ୍ମ ବେଶରେ ଯନ୍ତ୍ର ଚାଳିତ ଡଙ୍ଗାରେ ଅଜଣା ସନ୍ଦେହ ଜନକ ସନ୍ଦିଗ୍ଧମାନଙ୍କୁ ଠାବ କରିବା ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ନେଇ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କୁ ପଚାରିବାରୁ ୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଛି। ପୋଲିସ ପକ୍ଷରୁ ଜମ୍ବୁ, ବତୀଘର ଓ ବାହାକୁଦ ଘାଟଠାରେ ଚେକିଂ ଓ ନାକାବନ୍ଦୀ କରାଯାଇଛି । ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily