ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ ସମ୍ପୂର୍ଣ୍ଣ ଭାବେ ‘ହାଇ ଆଲର୍ଟ’ ଜାରି କରାଯିବା ସହ ପ୍ରତିନିଧିମାନଙ୍କ ସୁରକ୍ଷା ପାଇଁ ୧୦,୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସେନା ପ୍ରତ୍ୟକ୍ଷ ଭାବେ ଏହି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛି।
ଡନ (Dawn) ରିପୋର୍ଟ ଅନୁଯାୟୀ, ସହରର ସୁରକ୍ଷା ପାଇଁ ବିଭିନ୍ନ ବିଭାଗର ସାହାଯ୍ୟ ନିଆଯାଇଛି। ରାଜଧାନୀ ପୋଲିସର ୬,୦୦୦ ଯବାନ, ପଞ୍ଜାବ କନଷ୍ଟେବୁଲାରୀର ୩,୦୦୦ ଯବାନ, ଫ୍ରଣ୍ଟିୟର କନଷ୍ଟେବୁଲାରୀର ୯୦୦ ଯବାନଙ୍କ ବ୍ୟତୀତ ପ୍ରାୟ ୧୦୦୦ ଟ୍ରାଫିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। କେବଳ ଏତିକି ନୁହେଁ ରେଞ୍ଜର୍ସ ଏବଂ ଅନ୍ୟାନ୍ୟ ଗୋଇନ୍ଦା ସଂସ୍ଥା ମଧ୍ୟ ସଜାଗ ରହିଛନ୍ତି।
ସହରର ରେଡ୍ ଜୋନ୍ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସେନା ଓ ରେଞ୍ଜର୍ସଙ୍କୁ ମୁତୟନ କରାଯାଇଛି। କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ କ୍ୱିକ ରେସପନ୍ସ ଫୋର୍ସ (QRF)କୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି। ମାରଗାଲା ହିଲ୍ସ ଅଞ୍ଚଳରେ ସୁରକ୍ଷା ବାହିନୀର ଉପସ୍ଥିତି ବଢ଼ାଯାଇଛି। ରେଡ ଜୋନ୍କୁ ଯାଉଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ବେଳେ କେବଳ ମାରଗାଲା ରୋଡ୍କୁ ସୀମିତ ଭାବେ ଖୋଲା ରଖାଯାଇଛି। ଏହି ରାସ୍ତା ଦେଇ କେବଳ ଅନୁମତିପ୍ରାପ୍ତ ବ୍ୟକ୍ତି ଏବଂ ସ୍ଥାନୀୟ ବାସିନ୍ଦା ଯାତାୟାତ କରିପାରିବେ।
ବିଦେଶୀ ପ୍ରତିନିଧିମାନଙ୍କ ପାଇଁ ‘ବ୍ଲୁ ବୁକ’ (Blue Book) ପ୍ରୋଟୋକଲ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ। ପ୍ରତିନିଧିଙ୍କ ସହ ରହୁଥିବା ସୁରକ୍ଷା ଦଳକୁ ମଧ୍ୟ ମୋବାଇଲ ଫୋନ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରିବାକୁ ଅନୁମତି ଦିଆଯାଇନାହିଁ। ସୁରକ୍ଷା କାରଣରୁ ଅନେକ ପ୍ରମୁଖ ରାସ୍ତାକୁ ବନ୍ଦ କିମ୍ବା ଡାଇଭର୍ଟ କରାଯାଇଛି। ସାଧାରଣ ଜନତାଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ମୋଟାମୋଟି କହିବାକୁ ଗଲେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପାକିସ୍ତାନ ସରକାର ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି କରିଛନ୍ତି।
Dharitri – Odisha’s No.1 Odia Daily