ବାତ୍ୟା ପାଇଁ ହାଇ-ଆଲର୍ଟ: ସ୍କୁଲ ବନ୍ଦ, ଟ୍ରେନ-ବିମାନ ଚଳାଚଳ ବାତିଲ୍‌

ଚେନ୍ନାଇ,୨୯।୧୧:: ମାଡ଼ି ଆସୁଛି ବାତ୍ୟା। ସାମୁଦ୍ରିକ ବାତ୍ୟା ‘ଦିତ୍‌ୱାହ’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏବେ ତାମିଲନାଡୁ ମୁହାଁ ହୋଇଛି। ନଭେମ୍ବର ୩୦ରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ସକାଳେ ‘ଦିତ୍‌ୱାହ’ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିଥିଲା। ବାତ୍ୟା ପ୍ରଭାବରେ ଗୁରୁବାରଠାରୁ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବାରୁ ଅନେକ ଅଞ୍ଚଳରେ ବନ୍ୟା ଆସି ଓ ଭୂସ୍କଳଖ ଘଟି ୫୬ ଜଣଙ୍କର ମୃତ୍ୟୁ ହୋଇଛି। ବାତ୍ୟା ଦିତ୍‌ୱାହ ଏବେ ଦକ୍ଷିଣ-ଦକ୍ଷିଣପୂର୍ବ ପୁଡୁଚେରୀଠାରୁ ୪୪୦ କିମି ଦୂର ଓ ଚେନ୍ନାଇର ଦକ୍ଷିଣରେ ୫୪୦ କିମି ଦୂରରେ ରହିଛି। ତାମିଲନାଡ଼ୁର ୪ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଏବଂ ୫ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ଶ୍ରୀଲଙ୍କାର ଅବସ୍ଥା ଦେଖି ଏବେ ସତର୍କ ହୋଇଛନ୍ତି ତାମିଲନାଡ଼ୁ ସରକାର। ପ୍ରତିକୂଳ ପାଗ ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳକୁ ପ୍ରଭାବିତ କରିଛି, ଯାହା ଫଳରେ ୨୯ ନଭେମ୍ବରରେ ହେବାକୁ ଥିବା ଅନେକ ବିମାନ ଚଳାଚଳ ବାତିଲ କରାଯାଇଛି।

ଆସୁଥିବା ଘୂର୍ଣ୍ଣିଝଡ଼ ଦିତ୍‌ୱ‌ାହକୁ ନଜରରେ ରଖି ତାମିଲନାଡୁ ସରକାର ଶନିବାର ରାଜ୍ୟର ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।