ହେପାଟାଇଟିସ୍‌ ଓ ଯକୃତ କର୍କଟ

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ହେପାଟାଇଟିସ୍‌ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍‌ ଦିବସ ପାଳନ କରିଆସୁଛି। ବିଶ୍ୱବ୍ୟାପୀ ଏହି ଦିବସ ପାଳନ ହୋଇଥାଏ। ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି ‘ହେପାଟାଇଟିସ୍‌ : ଚାଲ ଏହାକୁ ଭାଙ୍ଗିବା’ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ହେପାଟାଇଟିସ୍‌ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରିଆସୁଛି। ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ସଂକ୍ରାମକ ରୋଗ। ହେପାଟାଇଟିସ୍‌କୁ ୫ଟି ଶ୍ରେଣୀଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ଏ, ବି, ସି, ଡି ଏବଂ ଇ। ଏହି ଦିବସର ଆଭିମୁଖ୍ୟ ହେଉଛି ରୋଗର ପ୍ରତିକାର ଓ ଚିକିତ୍ସା। ସମଗ୍ର ବିଶ୍ୱରେ କୋଟି କୋଟି ବ୍ୟକ୍ତି ହେପାଟାଇଟିସ୍‌ ଦ୍ୱାରା ଆକ୍ରାନ୍ତ। ଏହାର ଭୟାବହତା ଓ ଦୁର୍ବଳ ଚିକିତ୍ସା ସେବା ହେତୁ ପ୍ରତିବର୍ଷ ପ୍ରାୟ ୧୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୫୦ କୋଟି ଲୋକ ହେପାଟାଇଟିସ-ବି, ଅଥବା ହେପାଟାଇଟିସ୍‌-ସି ରୋଗରେ ପୀଡ଼ିତ। ଚିକିତ୍ସକଙ୍କ ମତରେ, ଯଦି ହେପାଟାଇଟିସ୍‌-ବି କିମ୍ବା ସି ରୋଗର ଉପଯୁକ୍ତ ଚିକିତ୍ସା କରା ନ ଯାଏ ତେବେ ଏହା ଲିଭର ସିରୋସିସ୍‌, ଲିଭର କ୍ୟାନ୍‌ସର ଭଳି ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ଅନେକଙ୍କର ଧାରଣା ରହିଛି ଯେ, ହେପାଟାଇଟିସ୍‌ଠାରୁ ଏଡ୍‌ସ ଅତ୍ୟନ୍ତ ଭୟାବହ ରୋଗ। କିନ୍ତୁ ସତକଥା ହେଉଛି, ପ୍ରତିବର୍ଷ ଏଡ୍‌ସରେ ଯେତିକି ଲୋକ ମରୁନାହାନ୍ତି ତା’ଠାରୁ ଅଧିକ ମରୁଛନ୍ତି ହେପାଟାଇଟିସ୍‌-ବି ଅଥବା ସି ରୋଗରେ। ହେପାଟାଇଟିସ୍‌ ସଂସ୍ଥା ଏବଂ ସ୍ବେଚ୍ଛାସେବୀମାନେ ପ୍ରତିବର୍ଷ ଏହି ଦିବସରେ ଲୋକମାନଙ୍କୁ ବିଭିନ୍ନ ସଚେତନଧର୍ମୀ ବାର୍ତ୍ତା ଦେଇଥାନ୍ତି। ୨୦୦୪ ମସିହାରେ ୟୁରୋପୀୟ ରାଷ୍ଟ୍ର ଏବଂ ମଧ୍ୟ ପୂର୍ବ ରାଷ୍ଟ୍ରର କେତେକ ଲିଭର ସଂସ୍ଥା ଓ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରଥମେ ଏହାକୁ ନେଇ ଏକ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ୨୦୦୮ରେ ବିଶ୍ୱ ହେପାଟାଇଟିସ୍‌ ଚୁକ୍ତିନାମା ବୈଠକରେ ୧୯ମେ’ ବିଶ୍ୱ ହେପାଟାଇଟିସ୍‌ ଦିବସ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ୨୦୧୦ରେ ହେପାଟାଇଟିସ୍‌-ବି ଭୂତାଣୁ ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବାରୁଚ୍‌ ସାମୁଏଲ ବ୍ଲୁମ୍ବରର୍ଗଙ୍କ ଜନ୍ମଦିନ ଅବସରରେ ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଘୋଷଣା କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ପ୍ରାୟ ଶହେଟି ରାଷ୍ଟ୍ର ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ହେପାଟାଇଟିସ୍‌ ରୋକିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।
ଲିଭର କ୍ୟାନ୍‌ସର ଏକ ମାରାତ୍ମକ ରୋଗ। କିନ୍ତୁ ଏହି ବ୍ୟାଧିର ନିରାକରଣ ହୋଇପାରେ। ପ୍ରତିବର୍ଷ ପୃଥିବୀରେ ୬ଲକ୍ଷ ବ୍ୟକ୍ତି ଲିଭର କ୍ୟାନ୍‌ସରରେ ମୃତ୍ୟୁବରଣ କରିଥାନ୍ତି। ସମଗ୍ର ପୃଥିବୀରେ ଏହି କ୍ୟାନ୍‌ସରର ସ୍ଥାନ ଷଷ୍ଠରେ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଭିତରେ ଏହି ରୋଗର ପ୍ରାଦୁର୍ଭାବ ବେଶି। ପୁରୁଷଙ୍କ ଭିତରେ ଏହା ପଞ୍ଚମ ଓ ମହିଳାଙ୍କ ଭିତରେ ଏହା ଅଷ୍ଟମ ସ୍ଥାନରେ ଅଛି। ଫୁସ୍‌ଫୁସ୍‌ କ୍ୟାନ୍‌ସର ଓ ପେଟ କ୍ୟାନ୍‌ସର ପରେ ଲିଭର କ୍ୟାନ୍‌ସରରୁ ହିଁ ବେଶି ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ନ୍ତି। ହେପାଟାଇଟିସ୍‌ ବି ଓ ସି ଏହି ରୋଗର ମୁଖ୍ୟ କାରଣ। ଏସିଆ ଓ ଆଫ୍ରିକାରେ ହେପାଟାଇଟିସ୍‌ ବି ୮୦% ଓ ଆମେରିକା ଓ ଜାପାନ ଦେଶରେ ହେପାଟାଇଟିସ୍‌ ସି ୭୫% ହେଉଛି ଲିଭର କ୍ୟାନ୍‌ସରର ମୁଖ୍ୟ କାରଣ। ଏହି ହେପାଟାଇଟିସ୍‌ ବି ଓ ସି ସାଧାରଣତଃ ଦୂଷିତ ରକ୍ତ, ଦୂଷିତ ସିରିଞ୍ଜ ଓ ଛୁଞ୍ଚି ମାଧ୍ୟମରେ କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଜଣଙ୍କଠୁ ଅନ୍ୟ ଜଣଙ୍କ ଶରୀରକୁ ପ୍ରବେଶ କରିଥାଏ। ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରନ୍ତି ସେମାନେ ଲିଭର ସିରୋସିସ୍‌ ଓ କ୍ୟାନ୍‌ସର ରୋଗରେ ପୀଡ଼ିତ ହୁଅନ୍ତି। ଲିଭରରେ ଅତ୍ୟଧିକ ଚର୍ବି ଜମିବା, ଧୂମପାନ ସେବନ, ଡାଇବେଟିସ୍‌ ଓ ଆଫ୍‌ଲା ଟକ୍ସିନ୍‌ ସେବନ ମାଧ୍ୟମରେ ଲିଭର କ୍ୟାନ୍‌ସର ହୋଇଥାଏ। ହିମୋକ୍ରୋମାଟୋସିସ୍‌ (ଲିଭରରେ ଅତ୍ୟଧିକ ଲୌହକଣା ଜମିବା, ଟାଇରୋସିନୋସିସ୍‌, ଆଲ୍‌ଫା-୧ ଏଣ୍ଟିଟ୍ରିପ୍‌ସିନ୍‌ ଅଭାବ ବ୍ୟକ୍ତିଙ୍କୁ ମଧ୍ୟ ଏହି କ୍ୟାନ୍‌ସର ରୋଗ ହୁଏ। ଏହି କାରଣଗୁଡ଼ିକ ମଧ୍ୟରୁ ହେପାଟାଇଟିସ୍‌ ବି, ସି, ମଦ୍ୟପାନ, ଧୂମ ସେବନ, ଚର୍ବିଜନିତ ରୋଗ ଓ ଡାଏବେଟିସ୍‌ ହେଉଛି ପ୍ରଧାନ ରୋଗ, ଯେଉଁଥିରେ କି ପରବର୍ତ୍ତୀ ଅବସ୍ଥାରେ ରୋଗୀ ଲିଭର କ୍ୟାନ୍‌ସରରେ ଆକ୍ରାନ୍ତ ହୁଏ। ଭାରତରେ ହେପାଟାଇଟିସ୍‌ ବି ସାଧାରଣଃ ୨ରୁ ୭% ଜନସାଧାରଣଙ୍କ ଭିତରେ ଦେଖାଯାଏ।
ଦେଶରେ ହେପାଟାଇଟିସ୍‌ ବି ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ନୀରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଛୋଟ ପିଲାମାନେ ସାଧାରଣତଃ ଜନ୍ମ ସମୟରେ ସଂକ୍ରମିତ ମା’ଠାରୁ ଭୂତାଣୁର ଶିକାର ହୋଇଥାନ୍ତି। ଯାହାକୁ ସିଧା ପ୍ରସାରଣ କୁହାଯାଏ। ଭୂତାଣୁ ପ୍ରସାରଣର ଦ୍ୱିତୀୟ ମାଧ୍ୟମ ହେଉଛି ଗୋଟିଏ ପିଲାଠାରୁ ଅନ୍ୟ ଏକ ପିଲାକୁ ସଂକ୍ରମଣ। ଏହାକୁ ସମାନ୍ତର ପ୍ରସାରଣ କୁହାଯାଏ। ଆମ ଦେଶରେ ବର୍ତ୍ତମାନ ପାଖାପାଖି ୫କୋଟି ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ ଅଛନ୍ତି। ଯେଉଁମାନେ ପରବର୍ତ୍ତୀ କାଳରେ ଯକୃତ ସିରୋସିସ୍‌ ଓ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ହେପାଟାଇଟିସ୍‌ ବି ଏଡ୍‌ସଠାରୁ ଶହେଗୁଣ ଅଧିକ ସଂକ୍ରାମକ। ଯକୃତ କର୍କଟ ରୋଗରେ ୯୦-୯୫% ବ୍ୟକ୍ତି ୬ମାସରୁ ୧ ବର୍ଷ ଭିତରେ ମୃତ୍ୟୁମୁଖରେ ପଡ଼ନ୍ତି। ତେଣୁ ଏହିପରି ଏକ ମାରାତ୍ମକ ବ୍ୟାଧିର ନିରାକରଣ ହେଉଛି ଆମ୍ଭମାନଙ୍କ ସମ୍ମୁଖରେ ଏବେ ବଡ଼ ଆହ୍ବାନ। ଆମ୍ଭେମାନେ ଯଦି ହେପାଟାଇଟିସ୍‌ ବିକୁ ଟିକା ମାଧ୍ୟମରେ ସମ୍ପୂର୍ଣ୍ଣ ନିରାକରଣ କରିପାରିବୁ ତା’ହେଲେ ଲିଭର କ୍ୟାନ୍‌ସରର ସଂଖ୍ୟା ମଧ୍ୟ କମିଯିବ। ମଦ୍ୟପାନ ବନ୍ଦ କରିବା ଅନ୍ୟ ଏକ ପଦକ୍ଷେପ। ଏହାଦ୍ୱାରା ଲିଭର ସିରୋସିସ୍‌ ଓ ଲିଭର କ୍ୟାନ୍‌ସରକୁ ମଧ୍ୟ ନିରାକରଣ କରାଯାଇ ପାରିବ। ରକ୍ତବ୍ୟାଙ୍କଗୁଡ଼ିକରେ ହେପାଟାଇଟିସ୍‌ ବି ଓ ସି ପରୀକ୍ଷା ମାଧ୍ୟମରେ ହେପାଟାଇଟିସ୍‌ ବି ଓ ସିକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ, ଅତ୍ୟଧିକ ଧୂମପାନ ଇତ୍ୟାଦି ମଧ୍ୟ ବହୁକାଂଶରେ ନିୟନ୍ତ୍ରଣ ସାପେକ୍ଷ। ଆଫ୍‌ଲଟକ୍ସିନ୍‌ ମାଧ୍ୟମରେ ଯେଉଁ ଲିଭର କ୍ୟାନ୍‌ସର ବ୍ୟାପେ, ତାହାକୁ ମଧ୍ୟ ଉପଯୁକ୍ତ ଖାଦ୍ୟ ସଂରକ୍ଷଣ ମାଧ୍ୟମରେ ରୋକାଯାଇପାରିବ। ଜନସାଧାରଣଙ୍କ ମଧ୍ୟରେ ଏହି ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ପାଇଲେ ଲିଭର କ୍ୟାନ୍‌ସର ଭଳି ଏକ ମାରାତ୍ମକ ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ।

ଡା. ଉମେଶ ଚନ୍ଦ୍ର ପାତ୍ର
ଅବସରପ୍ରାପ୍ତ ପ୍ରଫେସର, ଲିଭର ବିଶେଷଜ୍ଞ, କଟକ, ମୋ: ୯୪୩୭୦୫୧୯୫୭