ନୂଆଦିଲ୍ଲୀ,୩।୧୨: ଝାଡ଼ଖଣ୍ଡରେ ବଦଳିବ ରାଜନୈତିକ ସମୀକରଣ? ଇଣ୍ଡିଆ ମେଣ୍ଟ ଛାଡ଼ିବେ କି ମୁଖ୍ୟମନ୍ତ୍ରୀ ସୋରେନ! ଭାଜପାର ୨ ଡେପୁଟି ସିଏମ ନେଇ ଚାଲିଛି ଅଙ୍କକଷା । ବିହାର ପରାଜୟ ପରେ ବିରୋଧୀ ଶିବିର ଏକପ୍ରକାର ଅସ୍ଥିର ହୋଇପଡ଼ିଛି । ମେଣ୍ଟ ଭିତରେ ବିଭିନ୍ନ ଫାଟ ମଧ୍ୟ ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ସୋରେନ ଏବଂ ଜେଏମଏମ କୁଆଡ଼େ ଭାଜପା ମୁହାଁ ହେବାକୁ ସଜ ହେଉଛନ୍ତି ।
ବର୍ତ୍ତମାନ ସେଠାରେ ଜେଏମଏମ, କଂଗ୍ରେସ, ଆରଜେଡି ଓ ବାମ ଦଳର ମେଣ୍ଟ ସରକାର ଅଛି ୮୧ ବିଧାନସଭା ଆସନ ମଧ୍ୟରୁ ମେଣ୍ଟ ପାଖରେ ଅଛି ୫୬ଟି ଆସନ । ଯଦି ଭାଜପା ସହ ଜେଏମଏମ ହାତ ମିଳାଏ, ତେବେ କ’ଣ ହେବ ? ଆଜିକାଲି ଏହି ନୂଆ ମେଣ୍ଟକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା । ଯଦି ଏହା ସତ ହୁଏ, ତେବେ ଝାଡ଼ଖଣ୍ଡରେ ହେବ ବଡ଼ ଧରଣର ଓଲଟପାଲଟ । ଯଦି ଏନଡିଏରେ ଜେଏମଏମ ମିଶେ, ତେବେ ଜେଏମଏମର ୩୪, ଭାଜପାର ୨୧, ଏଲଜେପି ଓ ଏଜେଏସ୍ୟୁର ଗୋଟିଏ ଲେଖାଏଁ ଆସନ ମିଶାଇଲେ ସଂଖ୍ୟା ୫୮ରେ ପହଞ୍ଚିବ । ଆଉ ବହୁମତ ପାଇଁ ଝାଡ଼ଖଣ୍ଡରେ ୪୧ଟି ଆସନ ଦରକାର ।
ବିଶେଷଜ୍ଞଙ୍କ କହିବା କଥା, ଯଦି ହେମନ୍ତ ସୋରେନ ଭାଜପା ସହ ମେଣ୍ଟ କରନ୍ତି, ତେବେ ଏହା ହେବ ଇତିହାସର ସବୁଠୁ ଅପ୍ରତ୍ୟାଶିତ ରାଜନୈତିକ ପଦକ୍ଷେପ ମଧ୍ୟରୁ ଅନ୍ୟତମ । କାରଣ, ୨୦୨୪ରେ ଜେଏମଏମ ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଥିଲା । ଏପରିକି ହେମନ୍ତ ସୋରେନ ଜେଲ ମଧ୍ୟ ଯାଇଥିଲେ । କିନ୍ତୁ ରାଜନୀତିରେ ସବୁ ସମ୍ଭବ । ବର୍ତ୍ତମାନ ଇଣ୍ଡିଆ ମେଣ୍ଟରେ ଥିବାବେଳେ ହେମନ୍ତ ସରକାରଙ୍କୁ କେନ୍ଦ୍ରରୁ ଯେଉଁ ଅନୁଦାନ ମିଳିବା କଥା, ତାହା ମିଳୁ ନାହିଁ । ଫଳରେ ରାଜ୍ୟ ସ୍ୱାର୍ଥ ପ୍ରଭାବିତ ହେଉଛି । ଏନଡିଏରେ ମିଶିଲେ ସେହି ଅନୁଦାନ ହେମନ୍ତ ସରକାର ସହଜରେ ପାଇପାରିବେ । ଅନ୍ୟପଟେ ଭାଜପା ସହ ହାତ ମିଳାଇଲେ ବାବୁଲାଲ ମାରାଣ୍ଡି କିମ୍ୱା ଚମ୍ପାଇ ସୋରେନ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଚମ୍ପାଇ ସୋରେନ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଗତ ର୍ନିବାଚନ ପୂର୍ୱରୁ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ପରେ ସେ ଭାଜପାକୁ ପଳାଇଥିଲେ ।