ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା ଏହି ହାଇ-ଭୋଲଟେଜ୍‌ ମ୍ୟାଚ୍‌ରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଏବେ ସୋସିଆଲ ମିଡିଆରେ ହଙ୍ଗାମା ହେଉଛି।

IPLର ନୂଆ ସିଜିନ ଆରମ୍ଭ ହେଉ ହେଉ ବିବାଦ ନଂ-୧ ସାମ୍ନାକୁ ଆସିଛି। ରନ ବର୍ଷା ହେଉଥିବା ଏହି ମ୍ୟାଚ୍‌ରେ ଜଣେ ସେଟ୍‌ ବ୍ୟାଟରଙ୍କୁ ଆଉଟ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସନରାଇଜର୍ସ ହାଇଦ୍ରାବାଦ (SRH)ର ବ୍ୟାଟିଂ ଚାଲିଥିବା ବେଳେ ୧୪ତମ ଓଭରରେ ଏହି ହଙ୍ଗାମା ଆରମ୍ଭ ହୋଇଥିଲା। ଶେଫର୍ଡଙ୍କ ପ୍ରଥମ ବଲ୍‌ରେ କ୍ଲାସେନ ଏକ ବଡ଼ ସଟ୍‌ ଖେଳିଥିଲେ। ବାଉଣ୍ଡ୍ରି ଲାଇନ ପାଖରେ ଫିଲ ସଲ୍ଟ ଏକ ଚମତ୍କାର କ୍ୟାଚ୍‌ ଧରିଥିଲେ। କିନ୍ତୁ ରିପ୍ଲେ’ରେ ଦେଖିବାକୁ ମିଳିଥିଲା ଯେ, କ୍ୟାଚ୍‌ ଧରିବା ସମୟରେ ସଲ୍ଟଙ୍କ ପାଦ ବାଉଣ୍ଡ୍ରି ଲାଇନ୍‌କୁୁ ସ୍ପର୍ଶ କରିଥିବା ପରି ମନେ ହେଉଥିଲା। ତଥାପି, ଥାର୍ଡ ଅମ୍ପାୟାର ଏହାକୁ ଅଣଦେଖା କରି କ୍ଲାସେନ୍‌ଙ୍କୁ ‘ଆଉଟ’ଘୋଷଣା କରିଥିଲେ।

ଏହି ନିଷ୍ପତ୍ତି ପରେ ହେନରିକ କ୍ଲାସେନ ବହୁତ ନିରାଶ ଦେଖାଯାଇଥିଲେ। ପଡ଼ିଆ ମଧ୍ୟରେ ସେ ଅମ୍ପାୟାରଙ୍କ ସହ ଯୁକ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଆଉଟ ହେବା ପୂର୍ବରୁ କ୍ଲାସେନ ୩୧ ରନ୍‌ କରି ଖେଳୁଥିଲେ। ସେ ଇଶାନ କିଶନଙ୍କ ସହ ମିଶି ୯୭ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ କରିସାରିଥିଲେ।

ଅମ୍ପାୟାରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଶଂସକମାନେ ଟୁଇଟର (X)ରେ ’Bad Umpiring’ ବୋଲି ଲେଖି କ୍ରୋଧ ପ୍ରକାଶ କରୁଛନ୍ତି। ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଏହି ଉଇକେଟ ପଡ଼ିବା SRH ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି।

Dharitri – Odisha’s No.1 Odia Daily

Share