ବାତ୍ୟା ମୋନ୍ଥା ପ୍ରଭାବରେ ହେକ୍ଟର ହେକ୍ଟର ଫସଲ ନଷ୍ଟ , ସ୍ଥିତି ପରଖିଲେ ଜିଲାପାଳ, ଦେଲେ ଏଭଳି ପ୍ରତିଶ୍ରୁତି

ଛତ୍ରପୁର, ୩୦।୧୦( ଦିଲ୍ଲୀପ ସାମଲ): ବାତ୍ୟାରୁ ବର୍ତ୍ତିଗଲା ଗଞ୍ଜାମ ଜିଲା, କିନ୍ତୁ ଚାଷୀଙ୍କୁ ଦେଇଗଲା ଦୁଃଖ। ବାତ୍ୟା ମୋନ୍ଥା ପ୍ରଭାବରେ ଜିଲାରେ ଲଗାଣ ବର୍ଷା ଦେଖିବାକୁ ମିଳିଥିଲା । ଉପରମୁଣ୍ଡରେ ବର୍ଷା ପାଇଁ ନଦୀର ଜଳସ୍ତର ବୃଦ୍ଧି ହେତୁ ଚାଷଜମିରେ ପଶିବା ସହ ଶହ ଶହ ହେକ୍ଟର ଚାଷ ଜମିରେ ଲହଡି ମାରୁଛି ପାଣି। ଯାହାକୁ ନେଇ ଚିନ୍ତାରେ ଚାଷୀ । ସେମାନଙ୍କ ସୁନାର ଫସଲ ଏବେ ବର୍ଷା ପାଇଁ ସବୁ ନଷ୍ଟ ହୋଇଯିବ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରି ଚାଷୀ ଧାନ ଚାଷ କରିଥିବା ବେଳେ ଏବେ ଜମିରେ ପାଣି ପଶିଯାଇଛି। ଛତ୍ରପୁର ବ୍ଲକ ଅଗସ୍ତିନୁଆଗାଁରେ ହେକ୍ଟର ହେକ୍ଟର ଧାନ ଜମିରେ ପାଣି ସଠିକ ଭାବେ ନିଷ୍କାସନ ନହୋଇ ଜମି ରହିଥିବା ଦେଖିବାକୁ ମିଳିଛି । ଜମିରେ ୩ଫୁଟ ଉପରେ ପାଣି ରହିଛି । ଯାଦ୍ୱାରା ଧାନ ନଷ୍ଟ ହେବାର ଯଥେଷ୍ଟ ସମ୍ବାବନା ରହିଥିବା ଚାଷୀ କହିଛନ୍ତି । ଆଉ କିଛି ଦିନ ଗଲେ ଧାନା କାଟିଥାନ୍ତା ଚାଷୀ । କିନ୍ତୁ ଏବେ ପାଣି ଜମିଥିବାରୁ ଚାଷୀର ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଆଜି ନିଜେ ଗଞ୍ଜାମ ଜିଲାପାଳ ଭି.କିର୍ତ୍ତି ଭାସନ କ୍ଷେତ ଜମି ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଜିଲାପାଳ ସ୍ଥିତି ପରଖିଛନ୍ତି। ଋଷିକୁଲ୍ୟାର ପାଣି ସଠିକ ନିଷ୍କାସନ ହୋଇପାରୁନଥିବାରୁ ଏହି ସମସ୍ୟା ଦେଖାଦେଉଛି । ଗାର୍ଡ ୱାଲ, ମୁହାଣ ଖନନ ହୋଇପାରିଲେ ଏହି ସମସ୍ୟା ହେବ ନାହିଁ ବୋଲି ଚାଷୀମାନେ ଜିଲାପାଳଙ୍କୁ କହିଥିଲେ ଏବଂ କ୍ଷତିର ଆକଳନ କରିବାକୁ କହିଥିଲେ । ଫସଲ ଜମିରେ ପାଣି କମିଲେ ସଠିକ କ୍ଷତି ଆକଳନ ସମେତ ଯେଉଁ ସମସ୍ୟା ରହିଛି ତାହାର ସମାଧାନ କରିବାକୁ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ଜିଲାପାଳ।

 

Dharitri – The Largest & Most Trusted Odia Daily

\