ଭବାନୀପାଟଣା,୨୬ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ଗତ ୨୦ତାରିଖଠାରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲିବାର ୨ଦିନ ପରେ ଜିଲାରେ ବର୍ଷା ପ୍ରାୟ ସମୟରେ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଅପରାହ୍ନରେ ଘଡ଼ ଘଡି ସହ ପ୍ରବଳ ବର୍ଷା ହେଉଛି। ଜିଲାରେ ଚଳିତ ରବି ମଣ୍ଡି ଖୋଲିବା ବିଳମ୍ବିତ ଓ ମଣ୍ଡି ଖୋଲିବା ପରେ ବର୍ଷା ହେବା ଯୋଗୁ ଧାନକିଣା ପ୍ରଭାବିତ ହୋଇଛି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛି। ଜିଲାର ପ୍ରାୟ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ବର୍ଷା ଯୋଗୁ ସେଠାରେ ଥିବା ଧାନ ଭିଜିଯାଉଥିବା ଦେଖିବାକୁ ମିଳିଛି। ଆର୍ଏମ୍ସି ପକ୍ଷରୁ ଚାଷୀଙ୍କୁ ତାରପୋଲିନ ଦିଆଯାଉଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ତଳପଟେ ପାଣି ପଶି ଧାନ ଭିଜିଯାଉଥିବା ଚାଷୀ ପ୍ରକାଶ କରିଛନ୍ତି। ସେହିପରି ଖଳାରେ ଚାଷୀ ରଖିଥିବା ଧାନ ମଧ୍ୟ ଭିଜିଯାଉଥିବାବେଳେ କ୍ଷେତରେ ଥିବା ଧାନ ମଧ୍ୟ ବର୍ଷା ଯୋଗୁ ଶୋଇପଡି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଜିଲାର ଚାଷୀ ପ୍ରାୟ ୬୦ ପ୍ରତିଶତ ଧାନ ଅମଳ କରିଥିବାବେଳେ ବର୍ଷା ଦାଉ ସାଧୁଥିବାରୁ ପ୍ରାୟ ୧୦ ପ୍ରତିଶତ ମଧ୍ୟ ଧାନ କ୍ରୟ ହୋଇ ନ ଥିବା ଜଣାପଡିଛି। ଜିଲାରେ ଗତ ୬ ଦିନରେ ୧୭୪୩ ଜଣ ଚାଷୀଙ୍କ ୧ ଲକ୍ଷ ୧୭ ହଜାର ୪ଶହ କୁଇଣ୍ଟାଲ ଧାନ ଉଠାଣ କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି। ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୫ ଧାନ ମଣ୍ଡି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଧାନ କିଣା ଟାର୍ଗେଟ ୨୦ ଲକ୍ଷ ୬୦ ହଜାର ରହିଛି। ସେହିପରି ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ୪୮,୮୧୮ ଜଣ ଚାଷୀ ଅନ୍ଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିଛନ୍ତି। ୬୪ ପାକ୍ସ ଓ ୨୫ ସ୍ବୟଂ ସହାୟକ ଗୋଷ୍ଠୀର ମିଳିତ ସହଯୋଗରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା କରାଯାଇଛି। ଜିଲାର ୭୦ ମିଲର୍ସ ରବିଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରି ମଣ୍ଡିରୁ ଚାଷୀଙ୍କ ଧାନ ଠିକ ସମୟରେ ଉଠାଣ କରିବା ପାଇଁ ନିର୍ଦ୍ଧାରିତ କରାଯାଇଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାରୁ ବର୍ଷା ଯୋଗୁ ଧାନ କିଣା ପ୍ରଭାବିତ ହୋଇଛି। ବର୍ଷା ଛାଡିଲେ ଧାନ କିଣା ସ୍ବାଭାବିକ ହେବ ବୋଲି କହିଥିଲେ।