ନୂଆପଡ଼ା,୨୭ା୯ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ ସୋମବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ଏଥିଯୋଗୁ ନଈ ନାଳ କୂଳ ଖାଉଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇପଡିଛି ା ବର୍ତ୍ତମାନ ବିଲରେ ଦୁଇମାସିଆ ଷାଠିଆ, ପାରିଜାତ, ଖଣ୍ଡଗିରି, ନେନକା, ଭଟା ଭଳି ଧାନ କିଆରିରେ ଅମଳ ଅପେକ୍ଷାରେ ରହିଛି। ବର୍ଷା ଲାଗିରହିଥିବାରୁ ଚାଷୀ ଧାନ ଅମଳ କରିପାରୁ ନାହିଁ ା ଧାନ କିଆରିରେ ବର୍ଷା ଜଳ ଭରି ରହିଥିବାରୁ ଧାନ ଗଜା ହେବାକୁ ବସିଲାଣି ା ଚାଷୀ ଖର୍ଚ୍ଚାନ୍ତ କରି ଧାନ ଭଲ ଅମଳ କରି ଦୁଇ ପଇସା ରୋଜଗାର ଆଶାରେ ରହିଥିଲା ା ହେଲେ ଲଗାଣ ବର୍ଷା ଆଶାକୁ ଧୂଳିସାତ୍ କରିଦେଇଛି। ସେହିପରି କିଆରିରେ ଲଗାଯାଇଥିବା ବାଇଗଣ, ଟମାଟୋ, ଲଙ୍କା, ଭେଣ୍ଡି, ଝୁଲେର, କଲରା ଆଦି ପନିପରିବା ପଚିଶଢି ନଷ୍ଟ ହେବାରେ ଲାଗଛି ା ଏପରିସ୍ଥଳେ ଚାଷୀ ଲାଭ ପାଇବା ଦୂରର କଥା ଧାରକରଜ କିପରି ପରିଶୋଧ କରିବ ସେହି ଚିନ୍ତାରେ ରହିଛି। ପ୍ରାୟ ଏକସପ୍ତାହ ପର୍ଯ୍ୟନ୍ତ ବର୍ଷା ଲାଗିରହିଲେ ଧାନ ସାଙ୍ଗକୁ ପନିପରିବା ନଷ୍ଟ ହେବା ନିଶ୍ଚିତ ବୋଲି ଚାଷୀମାନେ କହିଛନ୍ତି। ଚାଷ କାର୍ଯ୍ୟ ଆରମ୍ଭରେ ବର୍ଷା ଅଭାବରୁ କୀଟ ପତଙ୍ଗ ଲାଗି ଫସଲ ନଷ୍ଟ କରୁଥିବା ବେଳେ ଅମଳ ସମୟରେ ଲଗାଣ ବର୍ଷା ଦାଉ ସାଧୁଛି। ବିଭାଗୀୟ ଅଧିକାରୀ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି ା