ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ଲାଗି ଗଞ୍ଜାମ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି l ଏହାର ମୁକାବିଲା ଲାଗି ଗଞ୍ଜାମ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି l ସମସ୍ତ ଲାଇନ ବିଭାଗକୁ ସଜାଗ ରହିବା ପାଇଁ କୁହାଯାଇଛି l ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଶନିବାର ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଜିଲାପାଳ ଭି. କୀର୍ତ୍ତି ଭାସନ ଛୁଟି ଘୋଷଣା କରିଛନ୍ତି l ଜିଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଆବଶ୍ୟକ ହେଲେ ସେଗୁଡିକୁ ବ୍ୟବହାର କରାଯିବ ବୋଲି ଜିଲାପାଳ କହିଛନ୍ତି l
ଏନେଇ ଶୁକ୍ରବାର ରାତ୍ରରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଛତ୍ରପୁର ବ୍ଲକ ଅନ୍ତର୍ଗତ ଉପୁଲାପୁଟି, ଆର୍ଯ୍ୟପଲ୍ଲୀ ସମେତ ଗୋପାଳପୁରରେ ବିଭିନ୍ନ କୋଷ୍ଟାଲ ଅଞ୍ଚଳ ଗୁଡିକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଯାଞ୍ଚ କରିଛନ୍ତି l ମତ୍ସଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି l କୌଣସି ସରକାରୀ ଅଧିକାରୀ ବିନା ଅନୁମତିରେ ହେଡ଼ କ୍ୱାର୍ଟର ଛାଡି ଯାଇପାରିବେନି ବୋଲି ନିର୍ଦେଶ ଦିଆଯାଇଛି l ଜିଲାରେ ବ୍ଲକ ଓ ତହସିଲ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଜରୁରୀ କାଳୀନ ନମ୍ବର ଜାରି କରାଯାଇଛି। ଜରୁରୀ ହେଲେ ଲୋକେ ସେହି ନମ୍ବରରେ କଲ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି l ଜିଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ହୋଇ ରହିଛି l ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜରୁରୀକାଳୀନ ବ୍ୟବସ୍ଥାର କିପରି ବ୍ୟବସ୍ଥା ହୋଇଛି ତାହା ଜିଲାପାଳ ନିରୀକ୍ଷଣ କରିଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ,ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।