ସମ୍ବଲପୁରରେ ପ୍ରବଳ ବର୍ଷା:  ଜନଜୀବନ ଅସ୍ତବ୍ୟସ୍ତ  ଘରେ ପଶିଲା ପାଣି

ସମ୍ବଲପୁର,୨୪।୯(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଦୁଇଦିନ ଧରି  ନିରବଚ୍ଛିନ ଭାବେ ପ୍ରବଳ ବର୍ଷା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଅନେକ ବସ୍ତି ଅଞ୍ଚଳ ଜଳମଗ୍ନ ହେବାସହ ସହରରେ ଏକ ପ୍ରକାର ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଘର ଏବଂ ଦୋକାନରେ ହଠାତ୍‌ ପାଣି ପ୍ରବେଶ କରିବା ଫଳରେ ଅନେକ କ୍ଷୟକ୍ଷତି ହୋଇଛି।ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ସହରର ଏସଆର୍‌ଆଇଟି କଲୋନୀ, ମୁଦିପଡ଼ା, ଦେଉଳବେଡା, ଜେଏମଜେ ହସ୍ପିଟାଲ ରୋଡ, ବରେଇପାଲି, ବୁଢାରାଜା, ପ୍ରଧାନପଡ଼ା, ଲକ୍ଷ୍ମୀଟକିଜ ଅଞ୍ଚଳ ସମେତ ସହରର ଅନେକ ଅଞ୍ଚଳରେ ଜଳମଗ୍ନ ହୋଇପଡ଼ିଛି। ରେଳବାଇର ଡ୍ରେନ ବନ୍ଦ ଯୋଗୁ ମୁଦିପଡାର ଦେଉଳବନ୍ଧ ଅଞ୍ଚଳରେ ଘରଗୁଡିକ ନର୍ଦ୍ଦମାଜଳ ପ୍ରବେଶ କରୁଛି।
ସେପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳଭଣ୍ଡାରର ୧୨ଟି ସ୍ଲୁଇସ ଗେଟ୍‌ ଖୋଲାଯାଇ ମହାନଦୀରେ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ନଦୀକୁ ଚନ୍ଦନ ନଗର, ମଣ୍ଡଳିଆ ଅଞ୍ଚଳ, କୁମାରପଡ଼ା, ହାଉସିଂ ବୋର୍ଡ ଓ ଦଶମତୀକଲୋନୀ ଭଳି ତଳିଆ ଅଞ୍ଚଳର ଛୋଟ ଡ୍ରେନ ଗୁଡ଼ିକରେ ନର୍ଦ୍ଦମାଜଳ ନିଷ୍କାସିତ ବନ୍ଦ ହୋଇଯିବାରୁ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ କରିଛି। ଆଗକୁ ଜଳଭଣ୍ଡାରର ଅଧିକ ଗେଟ ଖୋଲେ ତାହେଲେ ଏଅଞ୍ଚଳର ଉତ୍କଟ ବାତ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।