ବାଖମୁଟ୍‌ରେ ଜୋରଦାର ଲଢ଼େଇ

କିଭ୍‌/ମସ୍କୋ, ୧୩। ୩: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଗୋଟିଏ ବର୍ଷ ବିତିଯାଇଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଅଦ୍ୟାବଧି ଜାରି ରହିଛି। ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଅବସ୍ଥିତ ବାଖମୁଟ୍‌ ସହରକୁ ନେଇ ରୁଷିଆ ଏବଂ ୟୁକ୍ରେନ୍‌ ସୈନ୍ୟଙ୍କ ମଧ୍ୟରେ ଗତ କିଛିମାସ ଧରି ଜୋର୍‌ଦାର୍‌ ସଂଘର୍ଷ ଲାଗିରହିଛି। ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନୀୟ ସୈନ୍ୟ ୫୦୦ରୁ ଊର୍ଦ୍ଧ୍ୱ ରୁଷୀୟ ସୈନ୍ୟଙ୍କୁ ମୃତାହତ କରିଥିବା ଶନିବାର ଦାବି କରିଛି। ରୁଷିଆର ମୋଟ ୨୨୧ ସୈନ୍ୟ ପ୍ରାଣ ହରାଇଥିବାବେଳେ ୩୦୦ ଆହତ ହୋଇଛନ୍ତି। ସେହିପରି ୟୁକ୍ରେନ୍‌ର ୨୧୦ ସୈନ୍ୟ ନିହତ ହୋଇଥିବା ରୁଷିଆ କହିଛି।

ଡୋବାସ ରିଜିଅନ୍‌ରେ ଥିବା ବାଖମୁଟ୍‌କୁ ଦଖଲ ଉଦ୍ଦେଶ୍ୟରେ କିଛିମାସ ଧରି ରୁଷିଆ ସେନା ପକ୍ଷରୁ ଲଗାତର ଆକ୍ରମଣ ଜାରି ଥିବା ୟୁକ୍ରେନ୍‌ ମିଲିଟାରି ମୁଖପାତ୍ର ସେର୍‌ହି ଚେରେଭାଟି କହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରୁଷିଆ ପକ୍ଷରୁ ମୋଟ ୧୬ଟି ଆଟାକ୍‌ କରାଯାଇଥିବାବେଳେ ବାଖମୁତକୁ ନେଇ ମୋଟ ୨୩ ଥର ସଂଘର୍ଷ ହୋଇଛି। ରୁଷିଆକୁ ବାଖମୁଟ୍‌ ଦଖଲ କରିବାକୁ ଦିଆଯିବ ନାହିଁ। ଏ ନେଇ କିଭ୍‌ ପକ୍ଷରୁ ସଂଗ୍ରାମ ଜାରି ରହିବାକୁ ଥିବାବେଳେ ରୁଷିଆର ସବୁଠାରୁ ଦକ୍ଷ ସେନା ୟୁନିଟ୍‌କୁ ୟୁକ୍ରେନ୍‌ ସୈନ୍ୟ ନୟାନ୍ତ କରିଦେଇଥିବା ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପକ୍ଷରୁ କୁହାଯାଇଛି।

ମିଲିଟାରି ଗୋଇନ୍ଦା ସୂଚନା ଅନୁସାରେ ରୁଷିଆର ଓ୍ବାଗନର ମର୍ସନାରି ଗ୍ରୁପ୍‌ ବାଖମୁତର ପୂର୍ବାଞ୍ଚଳରେ ଥିବା ସ୍ଥାନଗୁଡ଼ିକୁ ଦଖଲ କରିଛି। ତେବେ ବାଖମୁଟ୍‌ ଦଖଲ ଦ୍ୱାରା ସମ୍ପୂର୍ଣ୍ଣ ଡୋନ୍‌ବାସକୁ ନିୟନ୍ତ୍ରଣକୁ ଅଣାଯାଇ ପାରିବ ବୋଲି ମସ୍କୋ କହିଛି। ବାଖମୁଟ୍‌କା ନଦୀର ପଶ୍ଚିମ ପାର୍ଶ୍ୱରେ ସହରର କେନ୍ଦ୍ରସ୍ଥଳ ଅବସ୍ଥିତ ହୋଇଥିବାବେଳେ ଏହାଠାରୁ ମାତ୍ର ୧.୨ କି.ମି. ଦୂରରେ ରୁଷୀୟ ସେନା ଥିବା ଓ୍ବାଗନର ମର୍ସନାରି ଗ୍ରୁପ୍‌ର ପ୍ରତିଷ୍ଠାତା ୟେଭଗେନି ପ୍ରିଗୋଝିନ ଦାବି କରିଛନ୍ତି। ନଦୀର ଜଳ ଖୋଲା ସ୍ଥାନରେ ପ୍ରବାହିତ ହେଉଥିବା କାରଣରୁ ଏହା ରୁଷୀୟ ସୈନ୍ୟଙ୍କ ପାଇଁ ମରଣଜନ୍ତା ପାଲଟିପାରେ।