ନୂଆପଡ଼ା,୩ା୧୦ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭା ଗୃହଠାରେ ଶୁକ୍ରବାର ଜିଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୩ ଅଭିଯୋଗର ଶୁଣାଣି ହୋଇଥିଲା। ତନ୍ମଧ୍ୟରେ ୧୨ଟି ବ୍ୟକ୍ତିଗତ ଓ ଗୋଟିଏ ସାମୂହିକ ରହିଥିଲା। ଏହିସବୁ ଅଭିଯୋଗର ଅତିଶୀଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଜିଲାପାଳ ମଧୁସୂଦନ ଦାଶ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ ସିଂହଙ୍କ ସମେତ ବନଖଣ୍ଡ ଅଧିକାରୀ ଖଡିଆଳ ଅଜିଜ ଖାନ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଉପସ୍ଥିତ ଥିଲେ। ବିଡ଼ିଓ ରୋହିତ ଭୋଇ, ତହସିଲଦାର ପ୍ରଣବ ରଞ୍ଜନ ସାହୁ, ଡେପୁଟି କଲେକ୍ଟର ଚିନ୍ମୟ ସାଗର ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଶିବିର ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା।