ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ କେବଳ ମସ୍ତିଷ୍କକୁ କ’ଣ ଶରୀରର କୌଣସି ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ମାତ୍ର ୩୦୦-୪୦୦ ଗ୍ରାମ୍ ଓଜନ ବିଶିଷ୍ଟ ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ହେଉଛି ହୃତ୍ପିଣ୍ଡ। ଏହା ଗର୍ଭ ସଞ୍ଚାରଣର ମାତ୍ର ୪-୫ ସପ୍ତାହରୁ ନିରବଚ୍ଛିନ ଭାବେ ମଣିଷ ବଞ୍ଚିଥିବା ଯାଏ
କାର୍ଯ୍ୟ କରୁଥାଏ। ପ୍ରକାରାନ୍ତେ ହୃଦ୍ଯନ୍ତ୍ର ବନ୍ଦ ହେଲେ ଲୋକଟି ମୃତ୍ୟୁମୁଖରେ ପଡ଼ିଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ଏହା ଧମନୀରେ ରକ୍ତଚାପ ସୃଷ୍ଟି କରିଥାଏ, ଯାହା ସାଧାରଣତଃ ୧୨୦ ମିମି ପାରଦର ଚାପ ସହ ସମାନ। ସେହିପରି ଡାଇଷ୍ଟୋଲ୍ ସମୟରେ ରକ୍ତଚାପ ସାଧାରଣତଃ ୮୦ ମିମି ପାରଦ ହୋଇଥାଏ। ଏହି ସମୟରେ ପଲସ୍ ପ୍ରେସର (ନାଡି ଚାପ) ଏହି ଦୁଇ ଚାପର ତଫାତ ଅର୍ଥାତ୍ ୪୦ ମିମି ପାରଦ ହୋଇଥାଏ। ରକ୍ତଚାପ ବୃଦ୍ଧି ହେଲେ ଏହା ମଧ୍ୟ ଅସୁବିଧା ହୋଇଥାଏ। ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ଆପେକ୍ଷିକ ଲବଣ, ଧୂମପାନ, ମାନସିକ ଚାପ, ବିଷାଦ ଏହାର ପ୍ରମୁଖ କାରଣ। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶର ଆବଶ୍ୟକ ପଡ଼ିଥାଏ।