ଲୋଇସିଂହା,୨।୧୦(ସୁଶାନ୍ତ ବାରିକ): ଅନ୍ତର୍ଜାତୀୟ ସ୍ବେଚ୍ଛାକୃତ ରକ୍ତ ଦାନ ଦିବସ ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜେ ସ୍ବେଚ୍ଛାକୃତ ରକ୍ତ ଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ସେ କହିଥିଲେ, ରକ୍ତ ଦାନ ଜୀବନ ଦାନ। ସମାଜର ହିତ ଓ ଅନ୍ୟର ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ଆଗେଇ ଆସିବାକୁ ଆହାନ ଜଣାଇଥିଲେ। ରକ୍ତଦାତାଙ୍କୁ ସାଧୁବାଦ ଜଣାଇଥିଲେ। ସେ ଆହୁରିକହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶେଷ କରି ଗୁରୁତ୍ୱାରୋପ କରୁଛନ୍ତି, ଗତ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଚାଲିଛି। ଦେଶର୨୩ ହଜାରରୁ ଅଧିକ ଆୟୁଷ୍ମାନ ସବ ସେଣ୍ଟର୍ ରୁ ଆରମ୍ଭ କରି ମେଡିକାଲ କଲେଜର ସ୍କ୍ରିନିଂ କାର୍ଯ୍ୟକ୍ରମ ଚାଲିଥିବା ସେ କହିଥିଲେ। ଆଜିର ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ପ୍ରାୟ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମସ୍ତ ରକ୍ତ ଦାତାଙ୍କୁ ବଲାଙ୍ଗୀର ବ୍ଲଡ ବ୍ୟାଙ୍କ ତତଫରୁ ଏକ ଟ୍ରଫି ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶେଖରଲାଲ ପ୍ରଧାନଙ୍କ ସମେତ ବ୍ଲଡ ବ୍ୟାଙ୍କ ୟୁନିଟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।