ସହାୟତାର ହାତ ବଢାଇଲେ ସ୍ବାସ୍ଥ୍ୟମନ୍ତ୍ରୀ: ଛାତ୍ରୀଙ୍କୁ ମିଳିଲା ନାମଲେଖା ଅର୍ଥ ରାଶି

ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମର ଜଣେ ଛାତ୍ରୀ ମାନିନୀ ସାହୁ ଅର୍ଥାଭାବରୁ ଉଚ୍ଚଶିକ୍ଷା ପାଇଁ ସଂଘର୍ଷ କରୁଥିଲେ। ସାମାଜିକ କର୍ମୀ ଦୀପା ବାରିକ ସୋସିଆଲ ମିଡ଼ିଆ ଏକ୍ସରେ ଏହାର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ା, ମୁକେଶ ମହାଳିଙ୍ଗ ତାହା ପଢ଼ି ସହାୟତାର ହାତ ବଢାଇ ମହାନତାର ପରିଚୟ ଦେଇଛନ୍ତି ।

ସମ୍ବଲପୁର ଗଙ୍ଗାଧର ମେହେର ବିଶବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ବିଏଡ ନାମଲେଖା ନିମନ୍ତେ ଛାତ୍ରୀଙ୍କୁ ସମୁଦାୟ ୪୬୦୦୦ ହଜାର ଟଙ୍କା ଆବଶ୍ୟକତା ରହିଥିଲା । ସେ ୩୧୦୦୦ ଟଙ୍କା ଯୋଗାଡ କରିପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ତେବେ ଅତିରିକ୍ତ ୧୫୦୦୦ ଟଙ୍କା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ । ସମ୍ପୃକ୍ତ ଛାତ୍ରୀଙ୍କ ପାଠପଢା ସମସ୍ୟା ବାବଦରେ ଜାଣି ସ୍ବାସ୍ଥ୍ୟମନ୍ତ୍ରୀସ୍‌ ଉରିତ ପଦକ୍ଷେପ ନେବା ପାଇଁ ବରଗଡ଼ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ନିୟମ ଅନୁସାରେ ଆବଶ୍ୟକ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଶନିବାର ୧୫୦୦୦ ଟଙ୍କା ମଞ୍ଜୁର କରାଯାଇଛି। ରେଡକ୍ରସ ପକ୍ଷରୁ ମାନିନୀ ସାହୁଙ୍କୁ ତାଙ୍କ ବ୍ୟାଙ୍କ ଖାତାରେ ଏହି ଅର୍ଥ ପ୍ରଦାନ କରାଯାଇଛି । ତେବେ ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି ।