କାଲିଫର୍ନିଆରେ ସ୍ବାସ୍ଥ୍ୟ ଏମର୍ଜେନ୍ସି

ଓ୍ବାଶିଂଟନ,୧୨।୧:ଆମେରିକାର ଲସ୍‌ଏଞ୍ଜେଲ୍ସରେ ମଙ୍ଗଳବାରଠାରୁ ଲାଗିରହିଥିବା ଭୟାବହ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚତ୍ଛି। ହଲିଉଡ୍‌ ହିଲ୍‌ ସମେତ ଲସ୍‌ଏଞ୍ଜେଲ୍ସ ଓ ଏହାର ଆଖପାଖ ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଘର ଓ ଗାଡ଼ି ଜଳି ଧ୍ୱଂସ ହୋଇଯାଇଛି। ବିଜୁଳି ବିନା ଲକ୍ଷାଧିକ ଘର ଅନ୍ଧାରରେ ରହିଥିବାବେଳେ ପ୍ରବଳ ବେଗରେ ପବନ ବହିବା ଯୋଗୁ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ବ୍ୟାପକ ଅଞ୍ଚଳ ଜଳୁଥିବାରୁ ବାୟୁ ଗୁଣବତ୍ତା ଖରାପ ହେବା ସହ ଲୋକମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ କାଲିଫର୍ନିଆରେ ପ୍ରଶାସନ ପକ୍ଷରୁ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରାଯାଇଛି। ଧୂଆଁ ଓ ପାଉଁଶ ଯୋଗୁ ବାୟୁ ବିଷାକ୍ତ ହୋଇଗଲାଣି। ଏହା ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି। ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗ ଥିବା ଲୋକମାନଙ୍କୁ ପ୍ରଦୂଷିତ ବାୟୁରୁ ସୁରକ୍ଷା ଦେବା ପାଇଁ ଏନ୍‌୯୫ ମାସ୍କ ବଣ୍ଟନ କରାଯାଉଛି। ୫ ଦିନ ହେଲା ଜଙ୍ଗଲ ଜଳୁଥିବା ସହ ସାନି ବିପଦ ଆଶଙ୍କା ସତ୍ତ୍ୱେ କେତେକେ ଟେଲିଭିଜନରେ ସେମାନଙ୍କ ଜଳିଯାଇଥିବା ଘରକୁ ଦେଖିଛନ୍ତି। ଅନ୍ୟ କେତେଜଣ ପାଖ ଅଞ୍ଚଳକୁ ଯାଇ ନିଆଁରେ ବାସ୍ତବରେ ସେମାନେ କ’ଣ ହରାଇଛନ୍ତି, ତାହା ଦେଖିବାକୁ ଚାହୁଁଛନ୍ତି। ଲସ୍‌ଏଞ୍ଜେଲ୍ସ ଜଙ୍ଗଲ ନିଆଁରେ ଘରଦ୍ୱାର ହରାଇଥିବା ବିପନ୍ନଙ୍କୁ ସେଲିବ୍ରିଟିମାନେ ସହଯୋଗର ହାତ ବଢ଼ାଇଛନ୍ତି। ମେଣ୍ଡି ମୁରେ, ପ୍ୟାରିସ୍‌ ହିଲ୍‌ଟନ୍‌ଙ୍କ ସମେତ ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଭିନେତା ବସ୍ତ୍ରଦାନ କରିବା ସହ ପାଣ୍ଠି ସଂଗ୍ରହରେ ଲାଗିପଡ଼ିଛନ୍ତି। ଖ୍ୟାତନାମା ସେଲିବ୍ରିଟି ହିଲ୍‌ଟନ୍‌ ଶୁକ୍ରବାରଠାରୁ ଜରୁରୀ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ୧ ଲକ୍ଷ ଡଲାର ଦାନ କରିବା ସହ ଫଣ୍ଡ ରାଇଜ୍‌ରୁ ଆଉ ଲକ୍ଷେ ଡଲାର ଯୋଡ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମେରିକା ରିଏଲିଟି ଟିଭି ଷ୍ଟାର ହିଲ୍‌ଟନ୍‌ ଲାଇଭ୍‌ ଟିଭିରେ ନିଜର ମାଲିବୁ ଘର ଜଳୁଥିବାର ଦୃଶ୍ୟ ଦେଖିବା ପରେ ବିପନ୍ନମାନଙ୍କୁ ସହାୟତା ପାଇଁ ନିଷ୍ପତ୍ତି ନେଇଥିଲେ। ନିଆଁରେ ଘରଦ୍ୱାର ହରାଇଥିବା ଅଗଣିତ ପରିବାର ସହ ତାଙ୍କର ଭାବନା ରହିଥିବା ୪୩ ବର୍ଷୀୟା ସେଲିବ୍ରିଟି କହିଛନ୍ତି। କେବଳ ହିଲ୍‌ଟନ ନୁହନ୍ତି, ଅନେକ ସେଲିବ୍ରିଟି ବନାଗ୍ନିରେ ସେମାନଙ୍କ ଘର ହରାଇଛନ୍ତି। ୧,୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ବାସହରା ହୋଇଛନ୍ତି। ଅନୂ୍ୟନ ୧୦,୦୦୦ ଘର ଜଳିଯାଇଥିବା ଲସ୍‌ଏଞ୍ଜେଲ୍ସ କାଉଣ୍ଟି ଫାୟାର ମୁଖ୍ୟ ଆନ୍ଥୋନୀ ମାରୋନ୍‌ କହିଛନ୍ତି।

Share