ମିଳୁନି ନ୍ୟାୟ: ଥାନାଧିକାରୀ, ବିଇଓଙ୍କ ନାଁରେ ଲିଖିତ ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ…

ଭବାନୀପାଟଣା, ୧୩।୯ (ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ  ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ  ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲେ। ପରେ ସ୍ଥାନୀୟ ଶିକ୍ଷା ବିଭାଗ  ତାଙ୍କୁ ନିଲମ୍ବିତ କରିଥିଲା। ଉକ୍ତ ଦିନ ପ୍ରଧାନଶିକ୍ଷକ ମେହେରଙ୍କ ସ୍ତ୍ରୀ ସୁମିତ୍ରା ମେହେର ତାଙ୍କ ସ୍ବାମୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଯାଇଥିବା ନେଇଁ ଜୁନାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ଏତଲାରେ ସେ ସ୍କୁଲର ୩ ଜଣ ସହକାରୀ ଶିକ୍ଷକ ଯିଶୁ ଗୋପାଳ, ସାମନ୍ତ ମେହେର ଓ ଓମ ମେହେର ମିଶି ସ୍କୁଲର ଛୋଟ ଛୋଟ ଝିଅମାନଙ୍କ ମାଧ୍ୟମରେ ଉପରୋକ୍ତ ମିଥ୍ୟା ଅଭିଯୋଗ ଆଣି ତାଙ୍କ ସ୍ବାମୀଙ୍କୁ ଫସାଇଥିବା ଦର୍ଶାଇଥିଲେ। ଏପରିକି ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଲିଖିତ ଅଭିଯୋଗକୁ ଛାତ୍ରୀଙ୍କ ଅଭିଭାବକ,ଗ୍ରାମବାସୀ ତଥା ସ୍କୁଲ ପରିଚାଳନା କମିଟି ନ ଆଣି ସ୍କୁଲର ଜଣେ ସହକାରୀ ଶିକ୍ଷକ ଯିଶୁ ଗୋପାଳ କେଉଁ ସ୍ବାର୍ଥରେ ବିଇଓଙ୍କୁ ଡାକ ମାଧ୍ୟମରେ ଦେଇଥିଲେ ବୋଲି ସେ ଅଭିଯୋଗ ଆଣିଥିଲେ। ସୁମିତ୍ରାଙ୍କ ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଉପରୋକ୍ତ ୩ ଶିକ୍ଷକ ସମେତ ସମୁଦାୟ ୬ ଜଣଙ୍କ ନାମରେ ଏକ ମାମଲା ନଂ (୫୮୦/୨୫ ) ରୁଜୁ କରିଥିଲା । ହେଲେ ଇତିମଧ୍ୟରେ ଏହି ଘଟଣାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଶିକ୍ଷକଙ୍କ ଉପରେ ପୋଲିସ ନାଁ ଶିକ୍ଷା ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା  ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଶେଷରେ ନ୍ୟାୟ ପାଇଁ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ମେହେର ଶନିବାର ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି।
ଏ ନେଇ ଜିଲାପାଳଙ୍କୁ ସେ ଜୁନାଗଡ଼ ଥାନାଧିକାରୀ ଓ ବିଇଓଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଜୁନାଗଡ଼ ଥାନାଧିକାରୀ ଓ ବିଇଓ ଉପରୋକ୍ତ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଘଣ୍ଟ ଘୋଡ଼ାଉ ଥିବା ଅଭିଯୋଗ ଆଣିଛନ୍ତି। ଶୀଘ୍ର ଏହି ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି। ତେବେ ଜିଲାପାଳ ପାୱାର ସଚିନ ପ୍ରକାଶ ତାଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ଏହାର ତଦନ୍ତ କରାଯିବ ବୋଲି କହିଥିବା ଜଣାପଡିଛି। ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କୁ ପଚାରିବାରୁ  ଏହି ଘଟଣାରେ ୩ ଶିକ୍ଷକଙ୍କ ସହ ୬ ଜଣକୁ ନୋଟିସ ଦିଆଯାଇଛି। ବର୍ତ୍ତମାନ ବି ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି। ସେହିପରି ବିଇଓ ତପନ ମାଝୀଙ୍କୁ ପଚାରିବାରୁ ଘଟଣା ବିଷୟରେ ଜିଲା ଶିକ୍ଷାଅଧିକାରୀଙ୍କୁ ଜଣାଯାଇଛି ବୋଲି କହିଥିଲେ।

Share