ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ: ଅତିରିକ୍ତ ଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ…

ଛତ୍ରପୁର, ୧୯।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହୁମ୍ମା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଡ ମାରି ଲହୁଲୁହାଣ କରିଦେଇଥିବା ନେଇ ଗଞ୍ଜାମ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ମାଡ ଖାଇଥିବା ଛାତ୍ର ଜଣକ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା । ସୂଚନାପ୍ରକାରେ, ଅନ୍ତର୍ଯ୍ୟାମୀ ବିଦ୍ୟାଳୟରେ ହେବାକୁ ଥିବା ଡ୍ୟାନ୍ସ ପୋଗ୍ରାମ ପାଇଁ ଗତ ୧୦ ତାରିଖରେ ନିଜ ସାଙ୍ଗମାନଙ୍କ ସହ ମୋବାଇଲରେ ଡ୍ୟାନ୍ସ ଭିଡିଓ ଦେଖୁଥିଲେ । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ ଏବଂ କିଛି ଶିକ୍ଷକ ତାଙ୍କୁ ଏକ ବଡ଼ ବାଉଁଶରେ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ପରେ ଛାତ୍ର ଅନ୍ତର୍ଯ୍ୟାମୀଙ୍କୁ ବିଦ୍ୟାଳୟ ପରିସରରେ ଥିବା ଅନ୍ୟ ଏକ ପ୍ରକୋଷ୍ଠରେ ରଖିଦେଇଥିଲେ । ଖବରପାଇ ୧୬ ତାରିଖ ଦିନ ଅନ୍ତର୍ଯ୍ୟାମୀଙ୍କ ମାଉସୀ ରଜନି ବେହେରା ବିଦ୍ୟାଳୟରେ ପହଂଚି ତାଙ୍କୁ ପ୍ରଥମେ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ଆଜି ଗଞ୍ଜାମ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୁନୀଲ କୁମାର କେରକେଟାଙ୍କୁ ଭେଟି ଏକ ଅଭିଯୋଗ କରିଥିଲେ। ଅନ୍ତର୍ଯ୍ୟାମୀଙ୍କ ବାପା ମାଆ ଅକ୍ଷମ ବ୍ୟକ୍ତି ହୋଇଥିବାରୁ ରଜନୀ ତାଙ୍କ ପୁତୁରାଙ୍କୁ ଗତ ଚାରିବର୍ଷ ହେଲା ଏହି ବିଦ୍ୟାଳୟରେ ପାଠ ପଢିବାକୁ ଆଡମିଶନ କରିଥିଲେ। ତେବେ ପ୍ରଧାନଶିକ୍ଷକ ତାଙ୍କ ପୁତୁରାଙ୍କୁ ଶାରୀରିକ ମାନସିକ ଯନ୍ତ୍ରଣା ଦେଇଛନ୍ତି । ଯାହାଫଳରେ ତାଙ୍କ ପୁତୁରା ଆହାତ ହେବା ସହିତ ଭୟଭୀତ ଅବସ୍ଥାରେ ରହିଛନ୍ତି । ପୂର୍ବରୁ ମଧ୍ୟ ବିଦ୍ୟାଳୟରେ କାର୍‌ ଧୋଇବା, କ୍ଲାସରୁମ ଝାଡୁ କରିବା ଭଳି ବିଭିନ୍ନ କାର୍ଯ୍ୟରେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷକମାନେ ବାଧ୍ୟ କରୁଥିବା ଛାତ୍ର ଅନ୍ତର୍ଯ୍ୟାମୀ ଅଭିଯୋଗ କରିଛନ୍ତି । ଏହା ସହିତ ତାଙ୍କ ଅନ୍ୟ ତିନିଜଣ ଛାତ୍ରଙ୍କୁ ମଧ୍ୟ ଏଭଳି ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆସିଲା ମାତ୍ରେ ଅତିରିକ୍ତ ଜିଲାପାଳ ସୁନୀଲ କୁମାର କେର୍କଟା ନବମ ଶ୍ରେଣୀ ଛାତ୍ର ଅନ୍ତର୍ଯ୍ୟାମୀ ଏବଂ ତାଙ୍କ ମାଉସୀଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଏହାର ତଦନ୍ତ ନିମନ୍ତେ ଭାରପ୍ରାପ୍ତ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ବିଦ୍ୟାଳୟକୁ ମୋବାଇଲ ମନା, ତଥାପି ଅନ୍ତର୍ଯ୍ୟାମୀ ମୋବାଇଲ ଧରି ଅନ୍ୟ ପିଲାଙ୍କ ସହ ଅଶ୍ଳୀଳ ଭିଡିଓ ଦେଖିଥିବାରୁ ମୁଁ ସେମାନଙ୍କୁ ତାଗିଦ୍‌ କରିଥିଲି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢ଼ୀ କହିଛନ୍ତି ।

Dharitri – The Largest & Most Trusted Odia Daily