ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ):ଗଞ୍ଜାମରେ ଦିନକୁ ଦିନ ବଢୁଛି ଦାଦନ ଦୁଃଖ। ରୋଜଗାର ନ ମିଳିବାରୁ ପେଟ ପାଇଁ ଦାଦନ ହୋଇ ରାଜ୍ୟ ବାହାରକୁ ଯାଇ ଶବ ହୋଇ ନିଜ ଭିଟାମାଟି ଫେରୁଛନ୍ତି। ଆଉ କିଛି ଘଣ୍ଟା ହୋଇଥିଲେ ଘରେ ପହଞ୍ଚିଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ। ଏହିପରି ଘଟଣା ଛତ୍ରପୁର ବ୍ଲକ ସୁନ୍ଦରପୁର ଅଞ୍ଚଳରେ ଘଟିଛି । ସୁନ୍ଦରପୁର ତଳସାହି ଶଙ୍କର ପ୍ରଧାନଙ୍କ ସାନ ପୁଅ ସୂର୍ଯ୍ୟ ନାରାୟଣ ପ୍ରଧାନ(୨୬) ଚେହ୍ନାଇରୁ ଟ୍ରେନ ଯୋଗେ ନିଜ ଭିଟାମାଟିକୁ ଫେରୁଥିବାବେଳେ ଆନ୍ଧ୍ରପ୍ରଦେଶ କାକିନଡା ନିକଟରେ କୌଣସି କାରଣବଶତଃ ଟ୍ରେନରୁ ଖସି ପଡିଯାଇଥିଲେ। ଘଟଣାସ୍ଥଳରେ ହିଁ ସୂର୍ଯ୍ୟ ନାରାୟଣଙ୍କ ମୃତ୍ୟୁ ଘଟିଥିଲା । ସେହି ଟ୍ରେନରେ ବାପା, ମା’ ଓ ସୂର୍ଯ୍ୟ ନାରାୟଣ ଫେରୁଥିବାବେଳେ ଏହି ଦୁଖଃଦ ଘଟଣା ଘଟିଥିଲା।
ଦୁଇ ବର୍ଷ ତଳେ ପରିବାର ପ୍ରତିପୋଷଣ ପାଇଁ ଚେହ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ। ଘଟଣାର ଖବର ପାଇଁ ସ୍ଥାନୀୟ ଜିଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି କାଳିଆ ନାହାକ ଘଟଣାସ୍ଥଳରେ ପହଞ୍ଚି ଶବ କିପରି ନିଜ ଭିଟାମାଟିକୁ ଫେରିବ ତାହାର ବ୍ୟବସ୍ଥା କରିବା ସହ ଜିଲା ପ୍ରଶାସନକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲାଦର ମନୋଜ ପ୍ରଧାନ ମୃତକଙ୍କ ଘରେ ପହଞ୍ଚି ମୃତକଙ୍କ ମା’ଙ୍କୁ ୩୦ ହଜାର ଟଙ୍କାର ରେଡକ୍ରସରୁ ସହାୟତା ପ୍ରଦାନ କରିଥିଲେ। କିଛି ମାସ ମଧ୍ୟରେ ଗଞ୍ଜାମ ଜିଲାରେ ଏହିପରି ଦୁଖଃଦ ଘଟଣା ଦେଖିବାକୁ ମିଳୁଛି । ଦାଦନ ଯାଇ କିଏ ତ ନିର୍ଯାତନା ଯାଉଛି ତ କିଏ ଶବ ହୋଇ ଗାଁକୁ ଫେରୁଛି ।